ରାଉରକେଲା, ଅକ୍ଟୋବର ୮: ଇଣ୍ଡିଆ ମେଣ୍ଟ ପକ୍ଷରୁ ଆହ୍ୱାନ କରାଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ ରାଉରକେଲା ସହରରେ ଦେଖିବାକୁ ମିଳିଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଡକାଯାଇଥିବା ଏହି ବନ୍ଦ ଯୋଗୁଁ ସହରର ଯାତାୟାତ, ବ୍ୟବସାୟିକ ପ୍ରତିଷ୍ଠାନ ଓ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି।
ରାଉରକେଲାର ବିଶ୍ରା ଛକ, ପାନପୋଷ ଛକ, ଉଦିତନଗର ଅମ୍ବେଦକର ଛକ, ଅମ୍ବାଗାନ ଛକ, ଛେଣ୍ଡ ଛକ, ବେଦବ୍ୟାସ ଓ ସାରନଗର ଅଞ୍ଚଳରେ କଂଗ୍ରେସ, ସିପିଆଇ(ଏମ୍), ସିପିଆଇ ଓ ଅନ୍ୟାନ୍ୟ ଇଣ୍ଡିଆ ମେଣ୍ଟ ସହଯୋଗୀ ଦଳର କର୍ମୀମାନେ ପିକେଟିଂ ଓ ପ୍ରତିବାଦ କରିଥିଲେ। ଏହାର ପ୍ରଭାବରେ ଅନେକ ସ୍ଥାନରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ସହରର ବିଭିନ୍ନ ବଜାର ଓ ଦୋକାନବଜାର ବନ୍ଦ ରହିଥିବା ବେଳେ ବ୍ୟବସାୟିକ କାରବାର ମଧ୍ୟ ପ୍ରଭାବିତ ହୋଇଥିଲା। ବିଭିନ୍ନ ଅଞ୍ଚଳରେ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ପେଟ୍ରୋଲ ପମ୍ପ ଏବଂ ‘ଆମ ବସ୍’ ସେବା ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।
ଇଣ୍ଡିଆ ମେଣ୍ଟ ପକ୍ଷରୁ ୨୦୨୬ର MMDR (ସଂଶୋଧନ) ଆଇନ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ଓ କ୍ଷତିପୂରଣ ଦାବି କରାଯାଇଛି। (
ବନ୍ଦ ସମୟରେ ହସ୍ପିଟାଲ, ଆମ୍ବୁଲାନ୍ସ, ଅଗ୍ନିଶମ ସେବା, ଔଷଧ ଦୋକାନ ଓ ଅନ୍ୟାନ୍ୟ ଜରୁରୀ ସେବାକୁ ବନ୍ଦର ପରିସରରୁ ବାଦ ଦିଆଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଜରୁରୀ ସେବା ନିରବଚ୍ଛିନ୍ନ ରଖିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

