ରେଢ଼ାଖୋଲ : ସମ୍ବଲପୁର ରେଢ଼ାଖୋଲ ସହରର ସ୍ଥାନୀୟ ପ୍ରେସ କ୍ଲବ୍ ଠାରେ ସୋମବାର ଦିନ ପ୍ରେସ କ୍ଲବ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଏଥିରେ ସଂଘର ବରିଷ୍ଠ ସାମ୍ବାଦିକ ରବି ନାରାୟଣ ପ୍ରଧାନଙ୍କ ସଭାପତିତ୍ବରେ ସଂଘର ସମ୍ପାଦକ ତପନ କୁମାର ବିଶ୍ବାଳ ବିବରଣୀ ପାଠ କରି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏଥିରେ ଉପଖଣ୍ଡ ସ୍ତରରେ ସାମ୍ବାଦିକ ମାନଙ୍କ ଖବର ପ୍ରସାରଣ ଜାତୀୟ ପ୍ରେସ ଦିବସର ମହତ୍ତ୍ଵ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ମାନେ ଆଲୋକପାତ କରିଥିଲେ। ତା ସହିତ ତଥ୍ୟ ଭିତ୍ତିକ ଖବର ପ୍ରସାରଣ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଜାତୀୟ ପ୍ରେସ ଦିବସରେ ସଂଘର କୋଷାଧ୍ୟକ୍ଷ ଯଶୋବନ୍ତ ନାରାୟଣ ସାହୁ, ସହ ସମ୍ପାଦକ କନ୍ଦର୍ପ ବେହେରା, ବରିଷ୍ଠ ସାମ୍ବାଦିକ ରୋହିତ ଭୋଇ, ରଶ୍ମି ରଞ୍ଜନ ଖଡ଼ିରତ୍ନ, ସରୋଜ ରାଉତ, ସରୋଜ ସାହୁ, ସୁଧୀର ସୁନା, ଗଜାନନ ଭେଶରା, ମଦନ ବେହେରା ପ୍ରମୁଖ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଶେଷରେ କନ୍ଦର୍ପ ବେହେରା ସଭାକାର୍ଯ୍ୟକୁ ସଫଳ କରିଥିବାରୁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

