18 Jan 2026, Sun

୨୦ଦିନ ହେଲା ବ୍ଲକ କାର୍ଯ୍ୟାଳୟରୁ ବିଚ୍ଛିନ୍ନ ୫ ପଞ୍ଚାୟତ, ରାସ୍ତା ନିର୍ମାଣ ନ କଲେ ଆନ୍ଦୋଳନ ଚେତାବନୀ

ଫୁଲବାଣୀ: ୨୦ଦିନ ହେବ ସିମନବାଡିଠାରୁ ବୁଡାଗୁଡା ପୂର୍ତ ବିଭାଗ ରାସ୍ତା ୫୯ ନମ୍ବର ଜାତୀୟ ରାଜପଥର ତିଲୋରୀ ଗୁମାଡି ନଦୀ ଡାଇଭର୍ସନ ରାସ୍ତା ଧୋଇ ଯାଇଥିବାରୁ ୫ ପଞ୍ଚାୟତବାସୀ ବିଛିନ୍ନାଞ୍ଚଳ ଭଳି ରହିଛନ୍ତି। ଆଜକୁ ପ୍ରାୟ ୨୦ ଦିନ ହେବ ମରାମତି କରାଯାଇ ନ ଥିବାରୁ ସିମନବାଡି, ତିଲୋରୀ, ବୁଡାଗୁଡା ଓ ଗୁମିକିଆ ଗ୍ରାମପଞ୍ଚାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟସଭ୍ୟା, ୱାର୍ଡ ସଭ୍ୟସଭ୍ୟା ଏନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ଲିଖିତ ଭାବେ ପଠାଇଛନ୍ତି। ତେବେ ସେହି ରାସ୍ତାଦେଇ ଫୁଲବାଣୀ ଆସି ଦାବିପତ୍ର ଦେବା ସେମାନଙ୍କ ପାଇଁ ସମ୍ଭବ ହୋଇନଥିବା ଯୋଗୁଁଁ ସେମାନେ ମେଲ୍‌‌ ଏବଂ ହ୍ବାଟ୍ସଆପ୍‌ ମାଧ୍ୟମରେ ଏହି ଦାବିପତ୍ର ପ୍ରେରଣ କରିଥିବା ଜଣାଯାଇଛି।

ସୂଚନା ମୁତାବକ, ସିମନବାଡିଠାରୁ ବୁଡାଗୁଡା ପୂର୍ତ ବିଭାଗ ରାସ୍ତାର ତିଲୋରୀ ଗୁମାଡି ନଦୀର ଆପ୍ରୋଚ ରାସ୍ତା ଆଜକୁ ପ୍ରାୟ ୨୦ ଦିନ ହେବ ଲଗାଣ ବର୍ଷାରେ ଧୋଇ ହେବାରୁ ବାରମ୍ବାର କର୍ତ୍ତୃପକ୍ଷ ଓ ଠିକାଦାରଙ୍କୁ ଅବଗତ କରାଯାଇ ଥିଲେ ମଧ୍ୟ ଆଜି ସୁଦ୍ଧା କେହି ଶୁଣୁ ନାହାନ୍ତି। ଯାହା ଫଳରେ ଅଞ୍ଚଳବାସୀଙ୍କ ସମେତ ଅଞ୍ଚଳର ସମସ୍ତ ଛାତ୍ରଛାତ୍ରୀ ଆଜି ପର୍ଯ୍ୟନ୍ତ ଦାରିଙ୍ଗବାଡି କଲେଜ, ସିମନବାଡି ହାଇସ୍କୁଲ, ଦାରିଙ୍ଗବାଡି ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରୁଥବା ଛାତ୍ରଛାତ୍ରୀ ଯାଇ ପାରୁ ନାହାନ୍ତି। ଏପରି କି ତିଲୋରୀ, ଗୁମିକିଆ ଓ ବୁଡାଗୁଡା ପଞ୍ଚାୟତରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରି ଯେଉଁ ମାନେ ସିମନବାଡି ଓ ଦାରିଙ୍ଗବାଡି ରହୁଥବା ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଆସିପାରୁ ନାହାନ୍ତି। ଏଥିସହ ସ୍ବାସ୍ଥ୍ୟ ସେବା ଯଥା ଆରୋଗ୍ୟ କେନ୍ଦ୍ରଗୁଡିକ ଏବଂ ପିଏଚସି ବୁଡାଗୁଡାରୁ ସମସ୍ତ ଜନସାଧାରଣ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ଏହିସବୁ ସମସ୍ୟାକୁ ଆଖି ଆଗରେ ରଖି ୩ ଅଞ୍ଚଳବାସୀ ଆସନ୍ତା ଜୁଲାଇ ୧୬ ତାରିଖ ସୁଦ୍ଧା ଏହାର ସମାଧାନ କରା ନ ଗଲେ ବୁଧବାର ଦିନ ୫୯ ନମ୍ବର ଜାତୀୟ ରାଜପଥ ସିମନବାଡି ରାସ୍ତାରେ ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତା ରୋକ ଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। କନ୍ଧମାଳ ସାଂସଦଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନଙ୍କ ସମେତ ସମସ୍ୟାରେ ଥିବା ୫ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟସଭ୍ୟାମାନେ ଯଥାଶୀଘ୍ର ସମସ୍ୟାର ସମାଧାନ ନହେଲେ ବୁଧବାରଠାରୁ ରାଜ ରାସ୍ତାକୁ ଓହ୍ଲାଇବା ସହିତ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ଏନେଇ ପୂର୍ତ୍ତ ବିଭାଗ ଏସଡିଓ ହରିହର ଦାସଙ୍କ ସହିତ ଯୋଗାଯୋଗ କରାଯାଇଥିବାବେଳେ ସେ ନିଜ ପ୍ରତିକ୍ରିୟାରେ ଲଗାଣ ବର୍ଷା ଯୋଗୁଁଁ କାର୍ଯ୍ୟ ହୋଇ ପାରି ନ ଥିଲା, ଠିକା ସଂସ୍ଥାକୁ ତାଗିଦ କରାଯାଇଛି ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରି ଡାଇଭର୍ସନ ରାସ୍ତା କରିବା ସହିତ ପୋଲ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ। ମଙ୍ଗଳବାର ସକାଳୁ ଡାଇଭର୍ସନ କାର୍ଯ୍ୟ ଆରମ୍ଭ ହେବ ସାଧାରଣ ଲୋକଙ୍କୁ ସୁବିଧା ଦେବା ପାଇଁ ପୂର୍ତ୍ତ ବିଭାଗ ଶତପ୍ରତିଶତ ଚେଷ୍ଟିତ ବୋଲି ହରିହର ଦାସଙ୍କ ସହିତ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଦୀପ୍ତ ସ୍ୱାଇଁ କହିଛନ୍ତି। ତେବେ ତୁରନ୍ତ କାମ ଆରମ୍ଭ ନ ହେଲେ ଯେଉଁ ପରିସ୍ଥିତି ସୃଷ୍ଟିହେବ ସେଥିପାଇଁ ବିଭାଗୀୟ ଅଧିକାରୀମାନେ ଦାୟୀ ରହିବେ ବୋଲି ମଧ୍ୟ ଚେତାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *