6 Dec 2025, Sat

ଏସୀୟ ସୁଟିଂ: ନୀରୁଙ୍କୁ ଦୁଇ ସ୍ବର୍ଣ୍ଣ, ମନୁ ୪ର୍ଥ

ନୂଆଦିଲ୍ଲୀ : କାଜାଖ୍‌ସ୍ତାନରେ ଚାଲିଥିବା ଏସିଆନ୍‌‌ ସୁଟିଂ ଚମ୍ପିଆନ୍‌ସିପରେ ଭାରତକୁ ନିରାଶ କରିଛନ୍ତି ପ୍ୟାରିସ୍‌‌ ଅଲିମ୍ପିକ୍‌ସରେ ଦୁଇଟି ପଦକ ଜିତିଥିବା ମାନୁ ଭାକର। ସୋମବାର ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଚତୁର୍ଥ ଓ ତାଙ୍କ ସାଥି ଇଶା ସିଂହ ଷଷ୍ଠ ସ୍ଥାନରେ ରହିଥିଲେ। ମାନୁ ଓ ଈଶା ବିଫଳ ହୋଇଥିଲେ ମଧ୍ୟ ଭାରତକୁ ସୋମବାର ଏକାଧିକ ପଦକ ମିଳିଛି। ଜାତୀୟ ଚମ୍ପିଆନ୍‌ସିପ୍‌‌ ନୀରୁ ଧାଣ୍ଡା ମହିଳା ଟ୍ରାପ୍‌‌ ଇଭେଣ୍ଟରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଆଉ ଜଣେ ଭାରତୀୟ ଅସୀମା ଆଲୱତ କାଂସ୍ୟ ପଦକ ହାସଲ କରିଛନ୍ତି। ଏହି ମୁକାବିଲାରେ ନୀରୁ ୪୩ ଓ ଅସୀମା ୨୯ ପଏଣ୍ଟ ପାଇଥିଲେ। ମହିଳା ଦଳଗତ ଇଭେଣ୍ଟରେ ଚୀନ୍‌‌ ଓ କୁଏତକୁ ପଛରେ ପକାଇ ଭାରତ ସ୍ୱର୍ଣ୍ଣପଦକ ଜିତିନେଇଛି। ମହିଳା ଟ୍ରାପ୍‌‌ରେ ନୀରୁ, ଅସୀମା ଓ ପ୍ରୀତି ରଜାକ୍‌‌ ୩୧୯ ପଏଣ୍ଟ ସ୍କୋର କରି ଏହି ଇଭେଣ୍ଟରେ ୨ୟ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ଭାରତକୁ ତୃତୀୟ ପଦକ ମିଳିଛି ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ। ବ୍ୟକ୍ତିଗତ ବିଭାଗରେ ଭାରତ କୌଣସି ପଦକ ଜିତି ନ ଥିଲେ ମଧ୍ୟ ଦଳଗତ ବିଭାଗରେ ମାନୁ, ଇଶା ଓ ସିମ୍ରନପ୍ରୀତ୍‌‌ କୌର ବ୍ରାର କାଂସ୍ୟ ପଦକ ଜିତି ପାରିଛନ୍ତି। ପୁଣି କନିଷ୍ଠ ୨୫ ମିଟର ପିସ୍ତଲ ଇଭେଣ୍ଟରେ ଭାରତର ସମସ୍ତ ପଦକ କବ୍‌‌ଜା କରିଛି। ଏଥିରେ ପାୟଲ ଖତ୍ରୀଙ୍କୁ ସ୍ବର୍ଣ୍ଣ, ନମ୍ୟା କପୁରଙ୍କୁ ରୌପ୍ୟ ଓ ତେଜସ୍ୱିନୀଙ୍କୁ କାଂସ୍ୟ ପଦକ ମିଳିଛି। ଏହାଛଡ଼ା ଦଳଗତ ବିଭାଗରେ ଏହି ତିନି ସୁଟର ମଧ୍ୟ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି।

Leave a Reply

Your email address will not be published. Required fields are marked *