7 Mar 2026, Sat

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ମୀରାବାଇଙ୍କୁ ସ୍ୱର୍ଣ୍ଣ

ଅହମ୍ମଦାବାଦ : ସୋମବାର ଆରମ୍ଭ ହୋଇଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନ୍‌ସିପରେ ସଫଳତା ସହ ପ୍ରତ୍ୟାବର୍ତ୍ତନ କରିଛନ୍ତି ଦେଶର ତାରକା ଭାରୋତ୍ତୋଳକ ମୀରାବାଇ ଚାନୁ। ଟୋକିଓ ଅଲିମ୍ପିକ୍‌ସରେ ରୌପ୍ୟ ପଦକ ଜିତିଥିବା ମୀରାବାଇ ସ୍ବର୍ଣ୍ଣପଦକ ଜିତି ପ୍ରମାଣ କରିଛନ୍ତି ଯେ ତାଙ୍କଠାରେ ଏବେ ମଧ୍ୟ ଆନ୍ତର୍ଜାତିକ ପ୍ରତିଯୋଗିତାରେ ପଦକ ଜିତିବାର ସାମର୍ଥ୍ୟ ରହିଛି। ମହିଳା ୪୮ କିଲୋଗ୍ରାମ ବର୍ମରେ ୩୧ ବର୍ଷ ବୟସ୍କା ମଣିପୁରର ମୀରାବାଇ ଭାଗ ନେଇଥିଲେ। ମୀରାବାଇ ସ୍ନାଚ୍‌ରେ ୮୪ କିଗ୍ରା ଓ କ୍ଲିନ୍ ଏଣ୍ଡ ଜର୍କରେ ୧୦୯ କିଗ୍ରା; ଏହିପରି ମୋଟ ୧୯୩ କିଗ୍ରା ଭାର ଉଠାଇ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣପଦକ ଜିତିଛନ୍ତି। ଏହାସହ ମୀରାବାଇ ୩ଟିଯାକ ବିଭାଗରେ ନୂତନ ଭାରୋତ୍ତୋଳନ ଚମ୍ପିଆନ୍‌ସିପ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଆହତ ଥିବାରୁ ମୀରାବାଇ ବର୍ଷେ ହେଲା କୌଣସି ଭାରୋତ୍ତୋଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିନଥିଲେ। ସୋମବାର ପ୍ରତିଯୋଗିତା ବେଳେ ମୀରବାଇ ତାଙ୍କ ଡାହାଣ ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରିଥିଲେ। ୬ଟିରୁ ମାତ୍ର ୩ଟି ପ୍ରୟାସରେ ସେ ସଫଳ ଭାବେ ଭାର ଉଠାଇ ପାରିଥିଲେ। ଏହି ବିଭାଗରେ ୧୬୧ କିଗ୍ରା ସହ ମାଲେସିଆର ଇରିନ୍ ହେନ୍‌ରୀ ରୌପ୍ୟ ଓ ୧୫୦ କିଲୋଗ୍ରାମ ସହ ୱେଲ୍‌ସର ନିକୋଲ ରବର୍ଟସ କାଂସ୍ୟ ପଦକ ଜିତିଛନ୍ତି।

Leave a Reply

Your email address will not be published. Required fields are marked *