ଦେବଗଡ଼: ଆରମ୍ଭ ହେଲା ଦେବଗଡ଼ର ପ୍ରସିଦ୍ଧ ଗଣେଶ ପୂଜା। ସେପ୍ଟେମ୍ବର ୫ ତାରିଖରେ ବିସର୍ଜନ କାର୍ଯ୍ୟକ୍ରମ ରହିଛି। ୧୯୪୯ରୁ ଆରମ୍ଭ ହୋଇଥିବା ଦେବଗଡ଼ର ଗଣେଶ ପୂଜା ଚଳିତ ବର୍ଷ ୭୭ ବର୍ଷରେ ପହଞ୍ଚିଛି। ଚଳିତ ବର୍ଷ ଆୟୋଜକ ଜିଲ୍ଲା ବ୍ୟବସାୟୀ ସଂଘ ପକ୍ଷରୁ ପ୍ରସ୍ତୁତି ବ୍ୟାପକ ପ୍ରସ୍ତୁତି କରାଯାଇଛି। ରଙ୍ଗୀନ ଆଲୋକ ମାଳାରେ ସହର ଝଲସିବା ସହିତ ଗଣେଶ ପୂଜା ପାଇଁ ଚଳଚଂଚଳ ହୋଇପଡିଛି ସହର।
ସହର ମଧ୍ୟରେ ପୁଜା ହେଉଥିବା ଗଣେଶ ମଣ୍ଡପରେ ଗଣେଶ ପୂଜା ଅନୁଷ୍ଠିତ ହେଉଛି। କମିଟିର ସଭାପତି ରାଜ କିଶୋର ଦାଶ କର୍ତ୍ତା ଥିବାବେଳେ ମନୋରଞ୍ଜନ ଶତପଥି ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ। ପୂଜାମଣ୍ଡପରେ ପୌରାଣିକ, ସାମାଜିକ ଚେତନାଧରମି କଳାକୁଞ୍ଜ ପ୍ରଦର୍ଶିତ ହୋଇଛି। ପ୍ରତ୍ୟହ ସଂଧ୍ୟାରେ ମେଲୋଡି ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହାଛଡ଼ା ପ୍ରଧାନପାଟସ୍ଥିତ ବଡ଼ବଗିଚାରେ ସିଂହବାହିନୀ ଓ ରଙ୍ଗମହଲ ଟିକେଟ ସୋ ଅପେରା ଅନୁଷ୍ଠିତ ହେବ। ରାଜା ବାସୁଦେବ ହାଇସ୍କୁଲ ଖେଳପଡିଆ, ଟାଉନ ହଲ ଏବଂ ବଡ଼ବଗିଚାରେ ମୀନା ବଜାର ଓ ଦୋଳିର ବ୍ୟବସ୍ଥା କରାଯାଇଛି।
ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ପୂଜାମଣ୍ଡପ ନିକଟରେ ଅସ୍ଥାୟୀ ପୁଲିସ ଫାଣ୍ଡି ଖୋଲା ଯିବା ସହ ୨୪ ଘଣ୍ଟିଆ ପେଟ୍ରୋଲିଙ୍ଗ ବ୍ୟବସ୍ଥା ସହ ସିସିଟିଭି ସହାୟତାରେ ଜନଗହଳି ସ୍ଥାନ ଉପରେ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ରଖାଯିବ। ଟ୍ରାଫିକ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଏସପିଙ୍କ ନେତୃତ୍ବରେ ଜଣେ ଅତିରିକ୍ତ ଏସପି,ଦୁଇଜଣ ଡ଼ିଏସପି,୪ ଜଣ ଇନ୍ସପେକ୍ଟର ,୧୦ ଜଣ ସବ ଇନ୍ସପେକ୍ଟରଙ୍କ ସମେତ ୫ ପ୍ଲାଟୁନ ପୁଲିସ ଫୋର୍ସ ପୁଲିସ ପକ୍ଷରୁ ମୁତୟନ କରାଯାଇଛି।

