7 Mar 2026, Sat

ୟୁ.କେ. ଓଡ଼ିଶା ସମାଜର ୪୬ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ

ଲଣ୍ଡନ/ ନୂଆଦିଲ୍ଲୀ  ; ଓଡ଼ିଶା ସମାଜ ୟୁନାଇଟେଡ କିଙ୍ଗଡମ (ଓସୁକ)ର ୪୬ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି।ଏହି ଉପଲକ୍ଷେ ଲଣ୍ଡନର ଵର୍କସାୟାର କାଉଁଟି ଅନ୍ତର୍ଗତ ମେଡେନହେଡ୍ ସ୍ଥିତ ସୁନ୍ଦର, ସୁରମ୍ୟ, ସବୁଜିମା ଘେରା ଉତ୍ସବସ୍ଥଳକୁ ଖୁବ ଭବ୍ୟ ଢଙ୍ଗରେ ସଜାଯାଇଥିବା ଦେଖା ଯାଇଥିଲା। ସମଗ୍ର ପରିବେଷ୍ଟନୀକୁ ଏକ ଛୋଟ ଓଡ଼ିଶାର ସ୍ୱରୂପ ପ୍ରଦାନ କରାଯିବାର ଦୃଶ୍ୟ ବେଶ ମର୍ମସ୍ପର୍ଶୀ ଥିଲା। ଏଠାରେ ଆୟୋଜିତ ଓସୁକର ଦୁଇ ଦିନିଆ ଅଧିବେଶନ କାଳରେ ଓଡ଼ିଆ ସମ୍ପ୍ରଦାୟର ସମ୍ମିଳିତ ନେତୃତ୍ୱର ଅଭ୍ୟୁଦୟ,ସାମୁହିକ ବିକାଶର ନିଦର୍ଶନ ଏବଂ ସଂଗଠିତ ଅସ୍ମିତାର ପ୍ରଦର୍ଶନ ଘଟିଥିଲା। ଏହି ଶୀର୍ଷ ବୈଠକରେ ଆଗନ୍ତୁକ ପ୍ରାୟ ଏକ ସହସ୍ର ଓସୁକର ସଦସ୍ୟ, ପଦାଧିକାରୀ ଏବଂ ଶୁଭେଚ୍ଛୁ ମାନେ ସେମାନଙ୍କର ପରିବାର ବର୍ଗଙ୍କ ସହିତ ଏକ ମଞ୍ଚରେ ସମ୍ମିଳିତ ହୋଇ ପରସ୍ପର ମଧ୍ୟରେ ଥିବା ଘନିଷ୍ଠ ବନ୍ଧନ ଏବଂ ନିବିଡ଼ ଭାତୃତ୍ୱ ଭାବକୁ ଉଜାଗର କରିବାର ଭରପୁର ସୁଯୋଗ ଲାଭ କରିଥିଲେ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏବଂ ମା’ ସମଲେଇଙ୍କ ପ୍ରତିମା ସମ୍ମୁଖରେ ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ ସହିତ ଅଧିବେସନର ଶୁଭାରମ୍ଭ ହୋଇଥିଲା। ସ୍ୱାଗତ ଭାଷଣ ପ୍ରଦାନ କରି ଓସୁକର ସଭାପତି ବିଶ୍ୱଜିତ ପ୍ରଧାନ ୟୁକେର ଓଡ଼ିଆ ସମ୍ପ୍ରଦାୟ ଓସୁକର କାର୍ଯ୍ଯକ୍ରମ ଗୁଡ଼ିକ ପ୍ରତି ଯେଭଳି ସ୍ୱତଃ ପ୍ରବୃତ୍ତ ସମର୍ଥନ ପ୍ରଦାନ କରି ଆସୁଛନ୍ତି ତାହା ଅଦ୍ଭୁତପୂର୍ବ ବୋଲି କହିଥିଲେ। ଏଜିଏମ୍ ବୈଠକରେ ଓସୁକର ସମ୍ପାଦକ ସୁକାନ୍ତ ସାହୁ ପ୍ରଦାନ କରିଥିବା ବାର୍ଷିକ ବିବରଣୀ ଏବଂ କୋଷାଧ୍ୟକ୍ଷ କିଶୋର ଦାଶ ଉପସ୍ଥାପିତ କରିଥିବା ଆର୍ଥିକ ହିସାବ ସର୍ବ ସମ୍ମତି କ୍ରମେ ଗୃହିତ ହୋଇଥିଲା। ସମାବେଶକୁ ସମ୍ବୋଧନ କରି ମୁଖ୍ୟ ଅତିଥି ସାଂସଦ ବୀରେନ୍ଦ୍ର ଶର୍ମା, ସମ୍ମାନିତ ଅତିଥି ମେୟର ମ୍ୟାଣ୍ଡି ବ୍ରାର, କାଉନସିଲର ଗୁର୍ଚ୍ଚ ସିଂହ, ଭାରତୀୟ ହାଇ କମିଶନର ପ୍ରତିନିଧି ଅଜୟ ଠାକୁର, ପଦ୍ମଶ୍ରୀ ଅଦ୍ୱେତ ଗଡ଼ନାୟକ, ସୁଭଦ୍ରା ଆର୍ଟ ଗ୍ୟାଲେରୀର ଅଧ୍ୟକ୍ଷ ସୂର୍ଯ୍ୟ ରଥ ଏବଂ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଲୋକନାଥ ମିଶ୍ର ପ୍ରମୁଖ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ପଶ୍ଚିମ ଜଗତରେ ଜୀବନ୍ତ ଓ ସକ୍ରିୟ ରଖିବା ନେଇ ଓସୁକର ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଓସୁକର ସଂସ୍ଥାପକ ସଦସ୍ୟା ଡଃ. ନିଶେବିତା ଦାସଙ୍କୁ ସଂସ୍ଥାକୁ ସମୃଦ୍ଧ କରିବା ପାଇଁ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ଯୋଗୁଁ ଅତିଥିମାନେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ପତ୍ରିକା ବିଭାଗର ସମ୍ପାଦକ ଡଃ. ରାଜୀନ୍ଦର ସିଂଙ୍କର ତତ୍ତ୍ୱାବଧାନରେ ପ୍ରକାଶିତ ଓସୁକର ସ୍ମରଣିକା ‘ନବ ଗୁଞ୍ଜର’କୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ବହୁମୁଖୀ ପ୍ରତିଭା ଓ ପାରଦର୍ଶିତା ପାଇଁ ସମ୍ମିଳନୀରେ ପୁରସ୍କୃତ କରାଯାଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ରେଖା ସେନାପତି, ସୁସ୍ମିତା ରାଜହଂସ, ସନ୍ଧ୍ୟା ମହାପାତ୍ର, ରେଶମା ମହାପାତ୍ର, ରାଗିଣୀ ମହାନ୍ତି, ଡଃ. ଲିପ୍ସିତା ପଟ୍ଟନାୟକ, ଡଃ. ସହଦେବ ସ୍ୱାଇଁ, ଡଃ. ଜୟଶ୍ରୀ ନନ୍ଦ, ଡଃ. ଆଦିତ୍ୟ ସିଂହ, ଅନୁଶ୍ରୀ ପଟ୍ଟନାୟକ, ଶିବରଞ୍ଜନ ବିଶ୍ୱାଳ, ସତ୍ୟ ନାରାୟଣ ଦାସ, ଡଃ ଜୟାସ୍ମିତା ମିଶ୍ର, ମିଥିଳା ମହାନ୍ତି, ସଞ୍ଜୀତ କୁମାର ନାୟକ, ସୁବାସ ପ୍ରଧାନ, ଡଃ ଦେବାଶିଷ ପଣ୍ଡା, ଶ୍ରୀକାନ୍ତ ପାଢ଼ୀ, ଡଃ. ସ୍ମୃତି ରଞ୍ଜନ, ଡଃ ପୀତବାସ ମିଶ୍ର, ସଲିଳ ଦାସ, ଡଃ ରମେଶ ରାଉତରାୟ, ନୀଳମାଧବ କର, ଚିନ୍ମୟୀ ନାଥ, ଡଃ. କାଳୀ ମିଶ୍ର, ଡଃ. ଆଦ୍ୟାଶା ଦାସ, ସୁନୟନା ସୁବର୍ଣ୍ଣା ନନ୍ଦ, ଅରୁଣ ଲୁଇସ୍, ଆୟୋନା ଦାସ ଏବଂ ସ୍ରାଗଭି ସେଠୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ପ୍ରାଧ୍ୟାପକ ରାଜୁ ଷଡ଼ଙ୍ଗୀଙ୍କ ସ୍ମୃତିରେ ଏହି ପୁରସ୍କାରଗୁଡ଼ିକ ତାଙ୍କର ସୁପୁତ୍ରି ମିଲି ମିଶ୍ରଙ୍କ ସୌଜନ୍ୟରୁ ପ୍ରଦାନ କରାଯାଇଥିଲା।

ଅଧିବେଶନ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଲିଉଡ ଓ ଇଂଲଣ୍ଡର ବହୁ ଉଦୀୟମାନ ତଥା ପ୍ରତିଷ୍ଠିତ କଳାକାର ମାନଙ୍କର ସୃଜନଶୀଳ ଚାତୁର୍ଯ୍ୟ ଦେଖିବାକୁ ମିଳିଥିଲା। ମହୋତ୍ସବର ମୁଖ୍ୟ ଆକର୍ଷଣ ମହାନ ଅଭିନେତା କୁନା ତ୍ରିପାଠୀ, ଓଲିଉଡ ଯୁବ ତାରକା ଦେବାଶିଷ ପାତ୍ର ଏବଂ କମେଡି କିଙ୍ଗ ପାପ୍ପୁ ପମପମଙ୍କର ଦମଦାର ଅଭିନୟ ଥିଲା। ବିଶେଷ କରି କୁନା ତ୍ରିପାଠୀଙ୍କର ଗୁରୁ ଗମ୍ଭୀର ଶିବ ସ୍ତୋତ୍ର ଗାୟନ ଏବଂ ଦେବାଶିଷ ପାତ୍ରଙ୍କ ସହିତ ଡଃ ସୁମିତା ନାୟକଙ୍କର ମଞ୍ଚ ଉପରେ ବୈଦ୍ୟୁତିକ ଗତିରେ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ବିମୋହିତ କରିଦେଇଥିଲା। ଅନ୍ୟାନ୍ୟ ଉଲ୍ଲେଖଯୋଗ୍ୟ ସାଂସ୍କୃତିକ ପ୍ରସ୍ତୁତି ମଧ୍ୟରେ ତୁଳିକା ତ୍ରିପାଠୀ ଓ ପ୍ରେମ ସାହୁଙ୍କର ଓଡ଼ିଶୀ ନୃତ୍ୟ, ଶୁଭଶ୍ରୀ ସାହୁଙ୍କର ନେତୃତ୍ବରେ ଉତ୍କଳିକା ଟିମର ସମ୍ବଲପୁରୀ ନୃତ୍ୟ, ଇପସିତା ପଣ୍ଡା, ଡଃ. କପିଳ ମିତ କାଉର ଏବଂ କୁଲଦୀପ ପଟ୍ଟନାୟକଙ୍କର ସଙ୍ଗୀତ ପରିବେଷଣ ଏବଂ ମୌସୁମୀ ମିଶ୍ରଙ୍କର ଭଜନ ଖୁବ୍ ଉଚ୍ଚକୋଟୀର ଥିଲା। ଏହା ବ୍ୟତୀତ ଉତ୍ସବରେ ବିଭିନ୍ନ ଧରଣର କ୍ରୀଡ଼ା ଓ ଚିତ୍ରାଙ୍କନ ପ୍ରତିଯୋଗିତା, କୌଶଳ ବିନିମୟ କର୍ମଶାଳା ଏବଂ ରାମୋଲି କ୍ରିଏସନ଼ ଦ୍ୱାରା ପ୍ରସ୍ତୁତ ଫ୍ୟାଶନ ଶୋ ଆଦି ମଧ୍ୟ ସ୍ଥାନ ପାଇଥିଲା। ଜସ ଲାଇଭ ଡିଜିଟାଲ ମଞ୍ଚକୁ ଚିତ୍ତାକର୍ଷକ କରିବାର ସମସ୍ତ ସରଞ୍ଜାମ ଯୋଗାଇ ଥିଲେ।ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଦକ୍ଷ ଉପସ୍ଥାପିକା ଦିଶିତା ରାଉତ ଓ ଶୁଭଶ୍ରୀ ସାହୁ ଖୁବ୍ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ। ଅନ୍ତାକ୍ଷରୀ ପ୍ରତିଯୋଗୀତାକୁ ଡଃ. ଲିପି ପ୍ରଧାନ ଏବଂ ଡଃ.ସଙ୍ଗୀତା ଦାସ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *