ଭୁବନେଶ୍ବର : ସେପ୍ଟେମ୍ବରରେ ଆଗ ପଛ ହୋଇ ଆସୁଛି ଦୁଇଟି ଲଘୁଚାପ। ମାସର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଥିବାବେଳେ ଆଉ ଗୋଟିଏ ମାସର ଦ୍ବିତୀୟ ସପ୍ତାହରେ ସୃଷ୍ଟି ହେବା ସମ୍ଭାବନା ରହିଛି। ଫଳସ୍ବରୂପ ସେପ୍ଟେମ୍ବରରେ ଭଲ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ସେପ୍ଟେମ୍ବର ୩ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ଅଧିକ ଘନୀଭୂତ ହୋଇ ୫ତାରିଖରେ ଅବପାତର ରୂପନେବାର ସମ୍ଭାବନା ରହିଛି। ଏହାପରେ ଦ୍ବିିତୀୟ ସପ୍ତାହ ବେଳକୁ ପୁଣି ଆଉଏକ ଲଘୁଚାପ ମଧ୍ୟ ସୃଷ୍ଟି ହେବା ସମ୍ଭାବନା ଅଛି। ଅନ୍ୟପଟେ ଆସନ୍ତା ଦୁଇଦିନ କାଁ ଭାଁ ବର୍ଷା ଥିବାବେଳେ ୩୧ରୁ ସେପ୍ଟେମ୍ବର ୩ ଭିତରେ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା
ଦିଆଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଅନୁଗୋଳ, ସମ୍ବଲପୁର, ଦେବଗଡ଼, ବାଲେଶ୍ବର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାକୁ ନେଇ ସତର୍କ ସୂଚନା ଜାରି କରାଯାଇଛି।


