10 Mar 2026, Tue

ନରସିଂହପୁର ଥାନା ହାଜତ ମୃତ୍ୟୁ ମାମଲା; ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ ମାନାବାଧିକାର କମିସନ

ନରସିଂହପୁର ନରସିଂହପୁର ଥାନା ହାଜତ ମୃତ୍ୟୁ ମାମଲାର ପୀଡିତଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଓଡ଼ିଶା ମାନାବାଧିକାର କମିସନ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଦୁଇଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରା ସରିଛି। ତେଣୁ  ଅବଶିଷ୍ଟ ଆଠ ଲକ୍ଷ ଟଙ୍କା ଆଗାମୀ ୨ ମାସ ମଧ୍ୟରେ ଦେବାକୁ ଗୃହ ସଚିବଙ୍କୁ ନିର୍ଦେଶ ହୋଇଛି । କ୍ଷତିପୂରଣ ରାଶିରୁ ୭ ଲକ୍ଷ ଟଙ୍କା ଯେକୌଣସି ଜାତୀୟକରଣ ବ୍ୟାଙ୍କରେ ସ୍ଥାୟୀ ଜମା ଭାବେ ରଖାଯିବ ଏବଂ ୧ ଲକ୍ଷ ଟଙ୍କା ମୃତକଙ୍କ ନିକଟ ଆତ୍ମୀୟଙ୍କୁ ଦେବାକୁ ନିର୍ଦେଶ ହୋଇଛି।

ସୂଚନା ମୁତାବକ, ୨୦୧୬ ମସିହା ଡିସେମ୍ବର ୯ ତାରିଖ ମଧ୍ୟରାତ୍ରରେ ନରସିଂହପୁର ପୋଲିସ ମାଳିସାହିର ସରୋଜ ସେନାପତିଙ୍କୁ ଏକ ମାମଲାରେ ଗିରଫ କରିବାକୁ ଯାଇଥିଲେ । ଗିରଫ ପ୍ରକ୍ରିୟାରେ ଅସୁସ୍ଥ ହୋଇ ପଡ଼ିବାରୁ ଡିସେମ୍ବର ୧୦ ତାରିଖ ସକାଳେ ତାଙ୍କୁ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେହିଦିନ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡିସେମ୍ବର ୧୧ ତାରିଖ ରାତ୍ରିରେ ତାଙ୍କର ମୃତ୍ୟ ହୋଇଥିଲା ।

ମୃତକଙ୍କ ଶ୍ୱଶୁରଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ ହୋଇଥଲା । ଏହା ଏକ ହାଜତ ମୃତ୍ୟୁ ମାମଲା ହୋଇଥିବାରୁ ବଡମ୍ବା ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ମଧ୍ୟ ତଦନ୍ତ କରିଥିଲେ । ପୋଷ୍ଟମର୍ଟମ ରିପୋର୍ଟରେ କ୍ଷତଚିହ୍ନ ବିଷୟରେ ଉଲ୍ଲେଖ ଥିବା ସହିତ ମସ୍ତିଷ୍କରେ ଆଘାତ ଯୋଗୁଁ ଆକୁଳଙ୍କ ମୃତ୍ୟୁ ହୋଇଛି ବୋଲି ଡାକ୍ତର ମତ ଦେଇଥିଲେ । ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀମାନେ ମଧ୍ୟ ଗିରଫ ବେଳେ ପୁଲିସ କର୍ମଚାରୀମାନେ ଆକୁଳଙ୍କୁ ଶାରିରୀକ ଆକ୍ରମଣ କରିଥିଲେ ବୋଲି କହିଥିଲେ । ତେଣୁ ପୋଷ୍ଟମର୍ଟମ ରିପୋର୍ଟରେ ଥିବା ତଥ୍ୟ ଓ ସାକ୍ଷୀମାନଙ୍କର ବୟାନ ଭିତ୍ତିରେ ଆକୁଳ ଓରଫ୍ ସରୋଜ ସେନାପତିଙ୍କ ମୃତ୍ୟୁ ସ୍ଵାଭାବିକ ନୁହେଁ ବୋଲି ମାଜିଷ୍ଟ୍ରେଟ ତଦନ୍ତ ରିପୋର୍ଟରେ ସ୍ପଷ୍ଟ ହୋଇଥିଲା।

Leave a Reply

Your email address will not be published. Required fields are marked *