ନରସିଂହପୁର : ନରସିଂହପୁର ଥାନା ହାଜତ ମୃତ୍ୟୁ ମାମଲାର ପୀଡିତଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଓଡ଼ିଶା ମାନାବାଧିକାର କମିସନ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଦୁଇଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରା ସରିଛି। ତେଣୁ ଅବଶିଷ୍ଟ ଆଠ ଲକ୍ଷ ଟଙ୍କା ଆଗାମୀ ୨ ମାସ ମଧ୍ୟରେ ଦେବାକୁ ଗୃହ ସଚିବଙ୍କୁ ନିର୍ଦେଶ ହୋଇଛି । କ୍ଷତିପୂରଣ ରାଶିରୁ ୭ ଲକ୍ଷ ଟଙ୍କା ଯେକୌଣସି ଜାତୀୟକରଣ ବ୍ୟାଙ୍କରେ ସ୍ଥାୟୀ ଜମା ଭାବେ ରଖାଯିବ ଏବଂ ୧ ଲକ୍ଷ ଟଙ୍କା ମୃତକଙ୍କ ନିକଟ ଆତ୍ମୀୟଙ୍କୁ ଦେବାକୁ ନିର୍ଦେଶ ହୋଇଛି।
ସୂଚନା ମୁତାବକ, ୨୦୧୬ ମସିହା ଡିସେମ୍ବର ୯ ତାରିଖ ମଧ୍ୟରାତ୍ରରେ ନରସିଂହପୁର ପୋଲିସ ମାଳିସାହିର ସରୋଜ ସେନାପତିଙ୍କୁ ଏକ ମାମଲାରେ ଗିରଫ କରିବାକୁ ଯାଇଥିଲେ । ଗିରଫ ପ୍ରକ୍ରିୟାରେ ଅସୁସ୍ଥ ହୋଇ ପଡ଼ିବାରୁ ଡିସେମ୍ବର ୧୦ ତାରିଖ ସକାଳେ ତାଙ୍କୁ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେହିଦିନ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡିସେମ୍ବର ୧୧ ତାରିଖ ରାତ୍ରିରେ ତାଙ୍କର ମୃତ୍ୟ ହୋଇଥିଲା ।
ମୃତକଙ୍କ ଶ୍ୱଶୁରଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ ହୋଇଥଲା । ଏହା ଏକ ହାଜତ ମୃତ୍ୟୁ ମାମଲା ହୋଇଥିବାରୁ ବଡମ୍ବା ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ମଧ୍ୟ ତଦନ୍ତ କରିଥିଲେ । ପୋଷ୍ଟମର୍ଟମ ରିପୋର୍ଟରେ କ୍ଷତଚିହ୍ନ ବିଷୟରେ ଉଲ୍ଲେଖ ଥିବା ସହିତ ମସ୍ତିଷ୍କରେ ଆଘାତ ଯୋଗୁଁ ଆକୁଳଙ୍କ ମୃତ୍ୟୁ ହୋଇଛି ବୋଲି ଡାକ୍ତର ମତ ଦେଇଥିଲେ । ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀମାନେ ମଧ୍ୟ ଗିରଫ ବେଳେ ପୁଲିସ କର୍ମଚାରୀମାନେ ଆକୁଳଙ୍କୁ ଶାରିରୀକ ଆକ୍ରମଣ କରିଥିଲେ ବୋଲି କହିଥିଲେ । ତେଣୁ ପୋଷ୍ଟମର୍ଟମ ରିପୋର୍ଟରେ ଥିବା ତଥ୍ୟ ଓ ସାକ୍ଷୀମାନଙ୍କର ବୟାନ ଭିତ୍ତିରେ ଆକୁଳ ଓରଫ୍ ସରୋଜ ସେନାପତିଙ୍କ ମୃତ୍ୟୁ ସ୍ଵାଭାବିକ ନୁହେଁ ବୋଲି ମାଜିଷ୍ଟ୍ରେଟ ତଦନ୍ତ ରିପୋର୍ଟରେ ସ୍ପଷ୍ଟ ହୋଇଥିଲା।

