ଭୁବନେଶ୍ଵର, : ଭିଜିଲାନ୍ସ ଜାଲରେ ନୂଆପଡ଼ାର ପୂର୍ବତନ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ତ୍ରିଲୋଚନ ଧଳ ଓ CDVO କାର୍ଯ୍ୟାଳୟର ଷ୍ଟାଟିଷ୍ଟିକାଲ୍ କ୍ଲର୍କ ଅଶୋକ କୁମାର ଦାଉ। ସରକାରୀ ଟଙ୍କା ଆତ୍ମସାତ୍ କରିବା ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ। ଦୁହିଁଙ୍କ ନାମରେ NAFCC ଅଧୀନରେ ୧୮ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ଆତ୍ମସାତ କରିବା ଅଭିଯୋଗ ରହିଛି।

ସୂଚନାନୁଯାୟୀ, ୨୦୨୦-୨୧ ଓ ୨୧-୨୨ ଆର୍ଥିକ ବର୍ଷରେ ଜାତୀୟ ଜଳବାୟୁ ପରିବର୍ତ୍ତନ ଅନୁକୂଳ ପାଣ୍ଠି ଅଧିନରେ ଏହି ପାଣ୍ଠି ଆବଣ୍ଟନ କରାଯାଇଥିଲା। ପୂର୍ବତନ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ତ୍ରିଲୋଚନ ଧଳ ଓ CDVO କାର୍ଯ୍ୟାଳୟର ଷ୍ଟାଟିଷ୍ଟିକାଲ୍ କ୍ଲର୍କ ଅଶୋକ କୁମାର ଦାଉ ଏହି ପାଣ୍ଠିକୁ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରି ଆତ୍ମସାତ୍ କରିଥିଲେ। ଦୁଗ୍ଧ ଏବଂ ଛେଳି ଚାଷୀଙ୍କୁ ଦେବା ପରିବର୍ତ୍ତେ ନିଜେ ହଡ଼ପ କରି ନେଇଥିଲେ। ଏନେଇ ଅଭିଯୋଗ ଆସିବା ପରେ କୋରାପୁଟ ଭିଜିଲାନ୍ସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ୧୮ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଆଜି ତ୍ରିଲୋଚନ ଧଳ ଓ ଅଶୋକ କୁମାର ଦାଉଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି।


