ରାୟଗଡ଼ା: ରାୟଗଡ଼ାର ରାଜନୈତିକ ମହଲରେ ଶୋକର ଛାୟା। ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଦଳର ଜଣେ ସକ୍ରିୟ ନେତା ୱାଇ. ଭେଙ୍କଟ ଈଶ୍ୱର ରାଓ, ଲୋକପ୍ରିୟ ନାମ ‘କୋଣ୍ଡାବାବୁ’ଙ୍କର ହୃଦ୍ଘାତରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି।
ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଖାଇସାରି ନିଜ ଘର ଛାତ ଉପରେ ବୁଲୁଥିବା ସମୟରେ କୋଣ୍ଡାବାବୁ ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କୋଣ୍ଡାବାବୁ ରାୟଗଡ଼ାରେ ଜଣେ ପରିଚିତ ରାଜନୈତିକ ଚେହେରା ଥିଲେ। ପୂର୍ବରୁ ସେ ବିଜେଡି ସହ ଜଡ଼ିତ ଥିବାବେଳେ ୨୦୨୪ ନିର୍ବାଚନ ପରେ ବିଜେପିରେ ସାମିଲ ହୋଇଥିଲେ। ବିଜେପିରେ ଯୋଗଦେବା ପରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ମଜବୁତ କରିବା ସହ ରାୟଗଡ଼ାରେ ତେଲୁଗୁଭାଷୀ ଲୋକଙ୍କ ସହ ଦଳର ଯୋଗାଯୋଗ ବଢ଼ାଇବାରେ ତାଙ୍କ ଭୂମିକା ଚର୍ଚ୍ଚାରେ ଥିଲା।
ରାଜନୀତି ବ୍ୟତୀତ ପରିବହନ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ତାଙ୍କର ଦବଦବା ରହିଥିଲା। ନିକଟରେ ସେ ଟ୍ରକ୍ ମାଲିକ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଫଳରେ ରାଜନୀତି ସହିତ ବ୍ୟବସାୟିକ ଓ ସାମାଜିକ କ୍ଷେତ୍ରରେ ମଧ୍ୟ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା।
ତାଙ୍କ ଅକାଳ ବିୟୋଗରେ ବିଜେପି ନେତା, କର୍ମୀ, ସମର୍ଥକ ଏବଂ ବିଭିନ୍ନ ବର୍ଗର ଲୋକେ ଗଭୀର ଶୋକ ପ୍ରକାଶ କରିଛନ୍ତି। କୋଣ୍ଡାବାବୁଙ୍କ ବିୟୋଗ ରାୟଗଡ଼ା ବିଜେପି ପାଇଁ ଏକ ବଡ଼ କ୍ଷତି ବୋଲି ଦଳୀୟ ମହଲରେ ମତ ପ୍ରକାଶ ପାଇଛି।

