ନୂଆଦିଲ୍ଲୀ : ୟୁପିଆଇ ୟୁଜର ଏବେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ୍ କରିପାରିବେ । ନ୍ୟାସ୍ନାଲ ପେମେଣ୍ଟ୍ସ କର୍ପୋରେଶନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ପର୍ସନ୍-ଟୁ-ମର୍ଚ୍ଚାଣ୍ଟ(ପି୨ଏମ୍) ପେମେଣ୍ଟ୍ର କେତେକ ବର୍ଗରେ ଦୈନିକ ଲିମିଟ୍କୁ ୨ ଲକ୍ଷ ଟଙ୍କାରୁ ବଢ଼ାଇ ୧୦ ଲକ୍ଷ ଟଙ୍କା କରିଦେଇଛି । ଏହା ଆଜିଠାରୁ ଲାଗୁ ହୋଇଛି । ସମସ୍ତ ପ୍ରକାର ୟୁପିଆଇ ପେମେଣ୍ଟ୍ର ଲିମିଟ୍ ବଢ଼ିନାହିଁ । ଏହି ପରିବର୍ତ୍ତନ କେବଳ କିଛି ସ୍ୱତନ୍ତ୍ର ବର୍ଗରେ ପର୍ସନ୍-ଟୁ-ମର୍ଚ୍ଚାଣ୍ଟ କାରବାର ପାଇଁ ହୋଇଛି ।

ପର୍ସନ- ଟୁ-ପର୍ସନ(ପି୨ପି) ଟ୍ରାଞ୍ଜାକ୍ସନ ଲିମିଟ୍ ପୂର୍ବଭଳି ୧ ଲକ୍ଷ ଟଙ୍କା ହିଁ ରହିବ । ପୁଞ୍ଜି ବଜାର ନିବେଶଠାରୁ ନେଇ କ୍ରେଡିଟ୍ କାର୍ଡ ପେମେଣ୍ଟ୍ ଏବଂ ଗହଣା କ୍ରୟ ପାଇଁ ଲିମିଟ୍କୁ ବଢ଼ାଯାଇଛି । ପୁଞ୍ଜି ବଜାର ନିବେଶ କ୍ଷେତ୍ରରେ ପୁରୁଣା ଲିମିଟ୍ ଥିଲା ୨ ଲକ୍ଷ ଟଙ୍କା । ପ୍ରତି ଟ୍ରାଞ୍ଜାକ୍ସନ ପିଛା ବର୍ତ୍ତମାନ ଲିମିଟ୍ ୫ ଲକ୍ଷ ଟଙ୍କା ହୋଇଛି । ତେବେ ଗୋଟିଏ ଦିନରେ ମୋଟ ୧୦ ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ ଏ କ୍ଷେତ୍ରରେ ହୋଇପାରିବ ।
ସେହିଭଳି ବୀମା କ୍ଷେତ୍ରରେ ପୁରୁଣା ଦୈନିକ ଲିମିଟ୍ ୨ ଲକ୍ଷ ଟଙ୍କା ଥିଲା, ଯାହାକି ବର୍ତ୍ତମାନ ୧୦ ଲକ୍ଷ ଟଙ୍କାକୁ ବଢ଼ାଯାଇଛି । ତେବେ ଥରକରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରାଯାଇପାରିବ । ଭ୍ରମଣ କ୍ଷେତ୍ରରେ ପୁରୁଣା ଲିମିଟ୍ ଲକ୍ଷେ ଟଙ୍କା ଥିଲା । ଏବେ ଏହା ୧୦ ଲକ୍ଷ ଟଙ୍କାକୁ ବଢ଼ିଛି । କ୍ରେଡିଟ୍ କାର୍ଡ ପେମେଣ୍ଟ କ୍ଷେତ୍ରରେ ଏହା ୨ ଲକ୍ଷ ଟଙ୍କାରୁ ବଢ଼ି ୬ ଲକ୍ଷ ଟଙ୍କା ହୋଇଛି । ଗହଣା କ୍ରୟ କ୍ଷେତ୍ରରେ ଏହା ଲକ୍ଷେ ଟଙ୍କାରୁ ବଢ଼ି ୬ ଲକ୍ଷ ଟଙ୍କା ହୋଇଥିବା ଜଣାପଡ଼ିଛି ।

