6 Dec 2025, Sat

କଟକ ଶାନ୍ତ, ସୁରକ୍ଷା କଡ଼ାକଡ଼ି: ୧୦ଟାରେ ସରିଲା କର୍ଫ୍ୟୁ ଅବଧି

କଟକ : ପୁଲିସର ସୁରକ୍ଷା ବଳୟରେ କଟକ ସହର। ସହର ଜଗିଛନ୍ତି ୬୫ ପ୍ଲାଟୁନ୍‌ ସୁରକ୍ଷା କର୍ମୀ। ଏଥିରେ ସିଆରପିଏଫ୍‌, ବିଏସ୍‌ଏଫ ଭଳି କେନ୍ଦ୍ରୀୟ ସୁରକ୍ଷା ବଳ ସହିତ ରାପିଡ୍‌ ଆକ୍ସନ୍‌ ଫୋର୍ସ ବି ମୁତୟନ ହୋଇଛନ୍ତି। ଛକ ଛକରେ ନାକାବନ୍ଦୀ, ଗଳିଗଳିରେ ବାଜି ଉଠୁଛି ସାଇରନ। ବୁଲୁଛି ଦଙ୍ଗା ନିୟନ୍ତ୍ରଣକାରୀ ବଜ୍ର ବାହନ। ଅମାନିଆଙ୍କୁ ସାବାଡ୍‌ କରୁଛି ପୁଲିସର ଲାଠି। ଅତି ଜରୁରୀ କାର୍ଯ୍ୟ ନଥିଲେ ଘରୁ ଗୋଡ଼ କାଢ଼ୁନାହାନ୍ତି ସହରବାସୀ। ଏହାରି ମଧ୍ୟରେ ସୁଧୁରୁଛି କଟକରେ ସ୍ଥିତି, ଫେରୁଛି ଶାନ୍ତି; ମାତ୍ର କଟକଣାକୁ ଆହୁରି କଡ଼ାକଡ଼ି କରି ଦିଆଯାଇଛି। ପୁଣି ୨୪ ଘଣ୍ଟା ଲାଗି ଇଣ୍ଟରନେଟ୍‌ ଓ ମୋବାଇଲ ଇଣ୍ଟରନେଟ୍‌ ସେବା ଉପରେ କଟକଣାକୁ ବଢାଇ ଦିଆଯାଇଛି। ସୋମବାର ସନ୍ଧ୍ୟା ୭ଟା ଯାଏ ଇଣ୍ଟରନେଟ୍‌ ସେବା ଉପରେ କଟକଣା ଥିବାବେଳେ ସ୍ଥିତିକୁ ଦେଖି ଏହାକୁ ଆଉ ୨୪ ଘଣ୍ଟା ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟା ୭ଟା ଯାଏ ବଢାଇ ଦିଆଯାଇଛି।

ଭାଇଚାରାର ସହର କଟକରେ ଦୀର୍ଘ ୩୪ ବର୍ଷ ପରେ ଗୋଷ୍ଠୀହିଂସା ଜନିତ କର୍ଫ୍ୟୁ ଫେରିଥିବାବେଳେ ଶାନ୍ତି ବଜାୟ ରଖିବା ପାଇଁ ଉଦ୍ୟମ ଜୋରଦାର ହୋଇଛି। ହିଂସାକାଣ୍ଡ ଘଟଣାରେ ୨୦୦ ଜଣଙ୍କ ନଁାରେ ମାମଲା ରୁଜୁ ହୋଇଥିବାବେଳେ ୪୨ରୁ ଊର୍ଦ୍ଧ୍ବ ଅଭିଯୁକ୍ତଙ୍କୁ ପୁଲିସ ଚୌଦ୍ବାର, ସିଡିଏ ଫେଜ୍‌-୨, ନନ୍ଦନକାନନ ଓ ବାରଙ୍ଗ ଥାନାରେ ଅଟକ ରଖିଛି। ଇତିମଧ୍ୟରେ ୩ଟି ମାମଲା ରୁଜୁ କରାଯାଇ ୮ଜଣଙ୍କୁ ଗିରଫ କରାଯାଇଛି। ସିସିଟିଭି ଓ ଗଣମାଧ୍ୟମରେ ପ୍ରକାଶିତ ତଥା ପ୍ରସାରିତ ଭିଡ଼ିଓ ଫୁଟେଜ ଆଧାରରେ ପୁଲିସ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *