ଭୁବନେଶ୍ଵର : ବିଧାନସଭାର ଶୂନ୍ୟକାଳରେ ଉଠିଲା ଧାନ ସଂଗ୍ରହ ପ୍ରସଙ୍ଗ। ଧାନ କିଣା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଚେତାବନୀ ଦେଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି ଯେ, ୨୫ ତାରିଖରୁ ଧାନ କିଣା ଆରମ୍ଭ ହୋଇଥିବା କଥା ସରକାର କହୁଥିଲେ ବି ଏଯାଏ ଗୋଟେ ବସ୍ତା ଧାନ ବି ଉଠି ପାରିନି। ମିଲରଙ୍କୁ ମାର୍କେଟ ୟାଡ ଆଲର୍ଟ ହୋଇନି। ଷ୍ଟୋରେଜ ପାଇଁ ଜାଗା ନାହିଁ, ଚାଷୀ ପଞ୍ଜିକରଣ କରି ପାରୁନାହାନ୍ତି। ତୁରନ୍ତ ଯୋଗାଣ ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ସ୍ଥିତି ଯାଞ୍ଚ କରନ୍ତୁ। ୨୮ ତାରିଖ ହେଲାଣି କିନ୍ତୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇନାହିଁ।

ପ୍ରସନ୍ନ ଆଚାର୍ଯ୍ୟ ପୁଣି କହିଛନ୍ତି ଯେ, ଯଦି ଗୋଟେ ବସ୍ତା ବି ଧାନ ସଂଗ୍ରହ ହୋଇଛି ତେବେ ମୋତେ ଯାହା ଦଣ୍ଡ ଦେବେ ମୁଁ ପ୍ରସ୍ତୁତ। କେବଳ ବରଗଡ଼ ଜିଲ୍ଲାରେ ୫ ହଜାର ଚାଷୀଙ୍କ ପଞ୍ଜିକରଣ ହୋଇନାହିଁ। ସରକାର କହୁଛନ୍ତି ଷ୍ଟୋରେଜ ନାହିଁ, ଚାଷୀଙ୍କ ପାଖେ ଷ୍ଟୋରେଜ ନାହିଁ ଏପଟେ ମିଲରମାନେ କହୁଛନ୍ତି ଷ୍ଟୋରେଜ ନାହିଁ। ଚାଷୀଙ୍କ ଭାଗ୍ୟ ଭବିଷ୍ୟତ ସହିତ ଖେଳନ୍ତୁ ନାହିଁ, ନଚେତ ନିଆଁ ଲାଗିଯିବ। ବିପଦଜନକ ନିଆଁ ସହିତ ସରକାର ଖେଳୁଛନ୍ତି। ସେ ନିଆଁ ସହିତ ଖେଳନ୍ତୁ ନାହିଁ ନଚେତ ସାରା ରାଜ୍ୟରେ ନିଆଁ ଲାଗିଯିବ।

