ବ୍ରହ୍ମପୁର : ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର। ବ୍ରହ୍ମପୁର ଗିରିରୋଡ଼ରେ ଯୁବକ ଓ ବାନ୍ଧବିକୁ ଆକ୍ରମଣ ଘଟଣାରେ ଫେରାର ମୁକେଶ ସାହୁ ଔରଫ ମୁଫତେସକୁ ଏନକାଉଣ୍ଟର । ସୋମବାର ସନ୍ଧ୍ୟାରେ ହୋଇଥିବା ବର୍ବରତା ଘଟଣାରେ ଫେରାର ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରିଛି ପୋଲିସ।
ଖବର ଅନୁଯାୟୀ, ରାତି ୧୨ ଟାରେ ଟାମଣା ଘାଟିରେ ପୋଲିସ ସହ ମୁହାଁମୁହିଁ ହେବାପରେ ପୋଲିସ ଗୁଳି କରିଛି। ଅଭିଯୁକ୍ତର ଦୁଇ ଆଣ୍ଠୁ ସହ ହାତରେ ବାଜିଛି ଗୁଳି। ଡାହାଣ ଗୋଡ଼ରେ ଦୁଇଟି ଗୁଳି, ବାମ ଗୋଡ଼ରେ ଗୋଟିଏ ଏବଂ ହାତରେ ଗୋଟିଏ ଗୁଳି ବାଜିଥିବା ସୂଚନା ରହିଛି । ପ୍ରଥମେ MKCG କାଜୁଆଲିଟିରେ ପ୍ରାଥମିକ ଚିକିତ୍ସା ପରେ ମୁକେଶକୁ ICU ରେ ଭର୍ତ୍ତି କରାଯାଇଛି। ମୁକେଶର କିଛି ସହଯୋଗୀ ଫେରାର ଥିବା ସୂଚନା ରହିଛି। ତେବେ ବିଚ୍ ରାସ୍ତାରେ ଉମେଶ ରଥଙ୍କୁ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣା ଘଟିବାର ୪୮ ଘଣ୍ଟା ଭିତରେ ଟାଉନ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ରିଙ୍କୁ ସାମଲ ଏବଂ ରାଜ୍ ମାଲହୋତ୍ରା। ଘଟଣାର ଭିଜୁଆଲ ଭାଇରାଲ ହେବା ପରେ ଏହାକୁ ନେଇ ବିଭନ୍ନ ମହଲରୁ ପ୍ରଶ୍ନ ଉଠିବାରେ ଲାଗିଥିଲା।
ତେବେ ପରବର୍ତ୍ତୀ ସମୟରେ ଜଣା ପଡ଼ିଥିଲା ଗ୍ୟାଙ୍ଗ ୱାରକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିଲା। ଆହତ ଉମେଶ ରଥଙ୍କ ନାଁରେ ବି ରହିଛି ଅପରାଧିକ ମାମଲା। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ କେନ୍ଦ୍ର କରି ଉମେଶଙ୍କ ଉପରେ ଆକ୍ରମଣ ହୋଇଥିବା ପୋଲିସର ସନ୍ଦେହ ହୋଇଥିଲା। ଯାହାକୁ ନେଇ ପୋଲିସ ତଦନ୍ତ ଚଳାଇଥିବା ବେଳେ ଭାଇରାଲ ଭିଡିଓ ଆଧାର କରି ଅଭିଯୁକ୍ତମାନଙ୍କୁ ଖୋଜିଥିଲା। ଏବଂ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ଏଥିସହ ଫେରାର ଥିବା ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରାଯାଇଛି ।

