ରେଢ଼ାଖୋଲ: ରାସ୍ତାର ଦୁର୍ଦ୍ଦଶାକୁ ନେଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ମହିଳାମାନେ। ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଜଗତିପାଲ ଗାଁରେ ରାସ୍ତା ଉପରେ ଧାନ ରୋଇ ମହିଳାମାନେ ନିଜର ପ୍ରତିବାଦ ଜଣାଇବା ସହ ତୁରନ୍ତ ରାସ୍ତା ମରାମତି ପାଇଁ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ବ୍ରାହ୍ମଣୀପାଲିରୁ ଜଗତିପାଲ ପର୍ଯ୍ୟନ୍ତ ପ୍ରାୟ ୨ କିଲୋମିଟର ରାସ୍ତା ଦୀର୍ଘଦିନ ଧରି ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଛି। ରାସ୍ତାସାରା ଖାଲଖମା ସହ କାଦୁଅରେ ଭରି ରହିଥିବାରୁ ଲୋକଙ୍କ ଯାତାୟାତରେ ନାନା ସମସ୍ୟା ଦେଖାଦେଉଛି।
ବର୍ଷା ହେଲେ ପରିସ୍ଥିତି ଆହୁରି ଗମ୍ଭୀର ହୋଇପଡୁଛି। ରାସ୍ତାର ବିଭିନ୍ନ ସ୍ଥାନରେ ପାଣି ଜମିବା ସହ କାଦୁଅ ହୋଇଯାଉଛି। ଫଳରେ ଦୁଇଚକିଆ ଯାନ, ଅଟୋ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ କରିବା କଷ୍ଟକର ହୋଇପଡୁଛି। ଏପରିକି ବର୍ଷା ସମୟରେ ଏହି ରାସ୍ତାରେ ଯାତାୟାତ ଏକପ୍ରକାର ଠପ୍ ହୋଇଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ରାସ୍ତାର ଏଭଳି ଅବସ୍ଥାକୁ ନେଇ ଗ୍ରାମର ମହିଳାମାନେ ଏକାଠି ହୋଇ ରାସ୍ତା ଉପରେ ଧାନ ରୋଇ ପ୍ରତିବାଦ କରିଥିଲେ। ରାସ୍ତାରେ ଜମିଥିବା କାଦୁଅ ଓ ପାଣି ମଧ୍ୟରେ ଧାନ ରୋଇ ସେମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ରାସ୍ତାର ଅବସ୍ଥା ଏତେ ଖରାପ ଯେ ଏହା ରାସ୍ତା ନା ପାଣି ଜମିଥିବା ଧାନ ଜମି—ତାହା ବୁଝିବା କଷ୍ଟକର ବୋଲି ମହିଳାମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁସାରେ, ଏହି ରାସ୍ତା ଉପରେ ଅନେକ ଲୋକ ଦୈନନ୍ଦିନ ଯାତାୟାତ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବା, ରୋଗୀଙ୍କୁ ଡାକ୍ତରଖାନା ନେବା ଏବଂ ଆବଶ୍ୟକୀୟ ସାମଗ୍ରୀ ଆଣିବା ଭଳି କାମରେ ମଧ୍ୟ ରାସ୍ତାର ଦୁର୍ଦ୍ଦଶା ଗୁରୁତର ସମସ୍ୟା ସୃଷ୍ଟି କରୁଛି।
ତେଣୁ ରାସ୍ତାର ସ୍ଥିତିକୁ ତୁରନ୍ତ ଅନୁଧ୍ୟାନ କରି ବ୍ରାହ୍ମଣୀପାଲି-ଜଗତିପାଲ ରାସ୍ତାର ମରାମତି କାମ ଶୀଘ୍ର ଆରମ୍ଭ କରିବାକୁ ମହିଳା ଓ ଗ୍ରାମବାସୀମାନେ ଦାବି କରିଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ମଧ୍ୟ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।

