ନୂଆଦିଲ୍ଲୀ, ୧୭ ଅଗଷ୍ଟ ୨୦୨୬: ଭାରତୀୟ ଜନତା ପାର୍ଟି (ବିଜେପି) ସୋମବାର ନିଜର ନୂଆ ଜାତୀୟ ପଦାଧିକାରୀ ଟିମ୍ ଘୋଷଣା କରିଛି। ବିଜେପି ଅଧ୍ୟକ୍ଷ ନିତିନ ନବୀନଙ୍କ ନେତୃତ୍ୱରେ ଗଠିତ ଏହି ନୂଆ ଟିମ୍ରେ ଅଭିଜ୍ଞ ନେତାଙ୍କ ସହ ଅନେକ ନୂଆ ମୁହଁଙ୍କୁ ସାମିଲ କରାଯାଇଛି।
ନୂଆ ଟିମ୍ର ସବୁଠାରୁ ଚର୍ଚ୍ଚିତ ନାମ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ତାଙ୍କୁ ବିଜେପିର ଜାତୀୟ ମହାସଚିବ ଭାବେ ନିଯୁକ୍ତ କରାଯାଇଛି। ଏହା ସହ ଉତ୍ତରପ୍ରଦେଶର ଦଳୀୟ ଦାୟିତ୍ୱ ମଧ୍ୟ ତାଙ୍କୁ ଦିଆଯାଇଛି।
ସ୍ମୃତି ଇରାନୀଙ୍କ ବଡ଼ ପ୍ରତ୍ୟାବର୍ତ୍ତନ
୨୦୨୪ ଲୋକସଭା ନିର୍ବାଚନରେ ଆମେଠି ଆସନରୁ ପରାଜୟ ପରେ ସ୍ମୃତି ଇରାନୀ ବିଜେପିର ଶୀର୍ଷ ସାଙ୍ଗଠନିକ ଦାୟିତ୍ୱରୁ ଦୂରେ ଥିଲେ। ଏବେ ନୂଆ ଟିମ୍ରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ଦଳୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।
ରାମ ମାଧବଙ୍କୁ ମଧ୍ୟ ବଡ଼ ଦାୟିତ୍ୱ
ବିଜେପିର ପୂର୍ବତନ ଜାତୀୟ ମହାସଚିବ ରାମ ମାଧବଙ୍କୁ ମଧ୍ୟ ନୂଆ ଟିମ୍ରେ ଗୁରୁତ୍ୱ ଦିଆଯାଇଛି। ତାଙ୍କୁ ବିଜେପିର ଜାତୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।
ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ଜାତୀୟ ଉପାଧ୍ୟକ୍ଷ ପଦରେ ରହିଛନ୍ତି।
ପୀୟୂଷ ଗୋୟଲଙ୍କୁ ଜାତୀୟ କୋଷାଧ୍ୟକ୍ଷ ଦାୟିତ୍ୱ
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ବିଜେପିର ଜାତୀୟ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି। ରାଜେଶ ମଙ୍ଗଳଙ୍କୁ ଯୁଗ୍ମ କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।
ବିଜେପିର ଜାତୀୟ ମହାସଚିବ (ସଂଗଠନ) ଭାବେ ବି.ଏଲ୍. ସନ୍ତୋଷ ନିଜ ଦାୟିତ୍ୱ ଜାରି ରଖିବେ।
ସଂଗଠନରେ ଅଭିଜ୍ଞତା ସହ ନୂଆ ମୁହଁ
ନୂଆ ଟିମ୍ରେ ୧୩ ଜଣ ଜାତୀୟ ଉପାଧ୍ୟକ୍ଷ, ୮ ଜଣ ଜାତୀୟ ମହାସଚିବ ଏବଂ ୧୬ ଜଣ ଜାତୀୟ ସଚିବଙ୍କୁ ସାମିଲ କରାଯାଇଛି। ଦଳର ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଆଗାମୀ ନିର୍ବାଚନ ପାଇଁ ଦଳକୁ ପ୍ରସ୍ତୁତ କରିବା ଉପରେ ନୂଆ ଟିମ୍ ଗୁରୁତ୍ୱ ଦେବ ବୋଲି ଆଶା କରାଯାଉଛି।
ସୋସିଆଲ ମିଡିଆ ଦାୟିତ୍ୱରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଦୀପକ ମ୍ହାସକେଙ୍କୁ ସୋସିଆଲ ମିଡିଆ କନଭେନର ଦାୟିତ୍ୱ ଦିଆଯାଇଛି।
ସମ୍ବିତ ପାତ୍ରଙ୍କୁ ଉତ୍ତର-ପୂର୍ବ ରାଜ୍ୟ ଦାୟିତ୍ୱ
ଓଡ଼ିଶାର ବିଜେପି ନେତା ଡ. ସମ୍ବିତ ପାତ୍ରଙ୍କୁ ଦଳର ନର୍ଥଇଷ୍ଟ କୋଅର୍ଡିନେଟର ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ରାଜୀବ ବାବରଙ୍କୁ ଯୁଗ୍ମ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି।
ନୂଆ ଟିମ୍ରେ ବିଭିନ୍ନ ରାଜ୍ୟର ନେତାଙ୍କୁ ସ୍ଥାନ ଦେଇ ବିଜେପି ନିଜର ସାଙ୍ଗଠନିକ ଭିତ୍ତିକୁ ଆହୁରି ବ୍ୟାପକ କରିବାକୁ ଉଦ୍ୟମ କରିଛି।
ନୂଆ ଟିମ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ
ନୂଆ ଜାତୀୟ ପଦାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ନୂଆ ଟିମ୍ରେ ସାଙ୍ଗଠନିକ ଅଭିଜ୍ଞତା, ନୂଆ ଶକ୍ତି ଏବଂ ତୃଣମୂଳସ୍ତରର ସଂଯୋଗର ସମନ୍ୱୟ ରହିଛି ବୋଲି ସେ କହିଛନ୍ତି।
ଆଗାମୀ ଦିନରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ନିର୍ବାଚନକୁ ଦୃଷ୍ଟିରେ ରଖି ‘ଟିମ୍ ନିତିନ ନବୀନ’ ବିଜେପିର ସଂଗଠନ ଓ ନିର୍ବାଚନୀ ରଣନୀତିକୁ କେତେ ମାତ୍ରାରେ ନୂଆ ଦିଗ ଦେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

