ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ରାୱଲପିଣ୍ଡିସ୍ଥିତ ଆଦିଆଲା ଜେଲରେ ତାଙ୍କ ପତ୍ନୀ ବୁଶରା ବିବି ଏବଂ ଭଉଣୀ ନୋରିନ ନିଆଜି ଭେଟିଛନ୍ତି। ପ୍ରାୟ ୯ ମାସ ପରେ ଏହି ପାରିବାରିକ ସାକ୍ଷାତ ହୋଇଥିବା ଜଣାପଡ଼ିଛି।
ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଇମ୍ରାନଙ୍କ ପରିବାରକୁ ସାପ୍ତାହିକ ସାକ୍ଷାତର ଅନୁମତି ମିଳିଛି। ଇମ୍ରାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଥିବାରୁ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି।
ନୋରିନ ନିଆଜି ପ୍ରାୟ ୧୫ ମିନିଟ୍ ଧରି ଇମ୍ରାନ ଖାନଙ୍କ ସହ କଥା ହୋଇଥିଲେ। ଆଲୋଚନାର ମୁଖ୍ୟ ବିଷୟ ଥିଲା ଇମ୍ରାନଙ୍କ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା। ସେ ସୁପ୍ରିମକୋର୍ଟଙ୍କ ହସ୍ପିଟାଲ ସ୍ଥାନାନ୍ତର ନିର୍ଦ୍ଦେଶ ସମ୍ପର୍କରେ ମଧ୍ୟ ତାଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି।
ଏହାପରେ ଇମ୍ରାନ ଖାନ ତାଙ୍କ ପତ୍ନୀ ବୁଶରା ବିବିଙ୍କ ସହ ପ୍ରାୟ ୩୦ରୁ ୩୫ ମିନିଟ୍ ଧରି ଅଲଗା ଭାବେ ସାକ୍ଷାତ କରିଥିଲେ। ଉଭୟଙ୍କ ମଧ୍ୟରେ ପାରିବାରିକ ବିଷୟ ଏବଂ ଇମ୍ରାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି।
ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କୁ ଜେଲରୁ ଇସଲାମାବାଦସ୍ଥିତ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ସ୍ଥାନାନ୍ତର କରି ଚିକିତ୍ସା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟକୁ ନେଇ ତାଙ୍କ ପରିବାର ଓ ଆଇନଜୀବୀମାନେ ଚିନ୍ତା ପ୍ରକାଶ କରିଥିଲେ।
ତେବେ ଜେଲରେ ହେଉଥିବା ପାରିବାରିକ ସାକ୍ଷାତକୁ ରାଜନୈତିକ ବାର୍ତ୍ତା ପ୍ରଚାର ପାଇଁ ବ୍ୟବହାର କଲେ ସାକ୍ଷାତ ଅନୁମତି ବାତିଲ କରାଯିବ ବୋଲି କର୍ତ୍ତୃପକ୍ଷ ଚେତାବନୀ ଦେଇଥିବା ଜଣାପଡ଼ିଛି।

