24 Aug 2026, Mon

ମୟୂରଭଞ୍ଜରେ ୩ ସ୍କୁଲ ଛାତ୍ରୀଙ୍କୁ ନିଶା ମିଶା ଚକୋଲେଟ ଦେଇ ଅପହରଣ ଉଦ୍ୟମ!

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବୁରୁପାଲସା ଅଞ୍ଚଳରେ ୩ ଜଣ ସ୍କୁଲ ଛାତ୍ରୀଙ୍କୁ ନିଶା ମିଶା ଚକୋଲେଟ ଦେଇ ଅପହରଣ ଉଦ୍ୟମ ହୋଇଥିବା ଅଭିଯୋଗ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ବୁରୁପାଲସା ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ୩ ଜଣ ଛାତ୍ରୀ ଖେଳୁଥିବା ସମୟରେ ସ୍କୁଟିରେ ୩ ଜଣ ଅଜଣା ବ୍ୟକ୍ତି ସେଠାକୁ ଆସିଥିଲେ। ସେମାନେ ଛାତ୍ରୀମାନଙ୍କୁ ଚକୋଲେଟ ଦେଇଥିବା ଏବଂ ଏଥିରେ ନିଶାଦ୍ରବ୍ୟ ମିଶିଥିବା ଅଭିଯୋଗ ହୋଇଛି।

ଛାତ୍ରୀମାନେ ଚକୋଲେଟ ଖାଇବାକୁ ମନା କରିବାରୁ ଅଭିଯୁକ୍ତମାନେ ସେମାନଙ୍କୁ ଧମକ ଦେଇଥିବା ଅଭିଯୋଗ ରହିଛି। ପରେ ଛାତ୍ରୀମାନେ ଚକୋଲେଟ ଖାଇବା ପରେ ଚେତାଶୂନ୍ୟ ହୋଇପଡ଼ିଥିବା ଜଣାପଡ଼ିଛି।

ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀ ଓ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଛାତ୍ରୀମାନଙ୍କୁ ବହଳଦା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରେ ସେମାନଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ଛାତ୍ରୀମାନଙ୍କ ମଧ୍ୟରୁ ଦୁଇଜଣ ପଞ୍ଚମ ଶ୍ରେଣୀର ବାସନ୍ତୀ ମୁର୍ମୁ ଓ ସୁଗି ମୁର୍ମୁ ଏବଂ ଜଣେ ପ୍ରଥମ ଶ୍ରେଣୀର ପାର୍ବତୀ ହେମ୍ବ୍ରମ ବୋଲି ଜଣାପଡ଼ିଛି।

ଖବର ପାଇ ତିରିଂ ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ୩ ଜଣ ସନ୍ଦିଗ୍ଧ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଧରିବା ପାଇଁ ପୁଲିସ ଖୋଜାଖୋଜି ଜାରି ରଖିଛି।

ତେବେ ଘଟଣାଟି ସ୍କୁଲ ପରିସରରେ ଘଟିଥିଲା ନା ସ୍କୁଲ ବାହାରେ, ସେନେଇ ଭିନ୍ନ ଭିନ୍ନ ସୂଚନା ସାମ୍ନାକୁ ଆସିଛି। ଗ୍ରାମବାସୀ ସ୍କୁଲ ପରିସରରେ ଘଟଣା ଘଟିଥିବା କହୁଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ଘଟଣାଟି ସ୍କୁଲ ବାହାରେ ଘଟିଥିବା କହିଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୁଲିସର ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ସ୍ପଷ୍ଟ ହେବ। ରିପୋର୍ଟ ଲେଖାଯିବା ସୁଦ୍ଧା ଏନେଇ ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *