20 Jan 2026, Tue

୫ ବର୍ଷରେ ହେବ ୩୦ ହଜାର କିମି ରାସ୍ତା, ୫ ଶହ ସେତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଗ୍ରାମାଞ୍ଚଳକୁ ସବୁଦିନିଆ ରାସ୍ତା ସଂଯୋଗୀକରଣ ପାଇଁ ଗୁରୁତ୍ବ ଦେଉଛନ୍ତି ସରକାର। ୫ ବର୍ଷ ଭିତରେ ୩୦ ହଜାର କିଲୋମିଟର ରାସ୍ତା ଓ ୫୦୦ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଲୋକସେବା ଭବନରେ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।
ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବିଭିନ୍ନ ଯୋଜନା ଓ ବଜେଟ୍‌ ମାଧ୍ୟମରେ ମିଳୁଥିବା ଅର୍ଥରାଶିର ଶତ ପ୍ରତିଶତ ଉପଯୋଗ କରି ରାଜ୍ୟବାସୀଙ୍କୁ ଉନ୍ନତମାନର ଗମନାଗମନ ସୁବିଧା ଯୋଗାଇ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

ଚତୁର୍ଥ ପର୍ଯ୍ୟାୟରେ ୧,୦୨୧ଟି ଯୋଗାଯୋଗ ବିହୀନ ଜନବସତି ପାଇଁ ୯୪୨ଟି ସଡ଼କ ଓ ୮ଟି ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ସେହିଭଳି ୧୦୦ରୁ ଅଧିକ ପିଭିଟଜି ବର୍ଗର ଜନବସତି ସଂଯୋଗୀକରଣ ପାଇଁ ‘ପିଏମ୍ ଜନମନ’ ଯୋଜନାରେ ୭୩ଟି ଗ୍ରାମରେ ୬୬ଟି ରାସ୍ତା ଓ ୪ଟି ସେତୁ ନିର୍ମାଣ ପାଇଁ ମଞ୍ଜୁରି ମିଳିଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୪୫୦୦.୩୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିବା ବେଳେ ୨୦୨୫-୨୬ରେ ୩୪୬୯.୯୪ କୋଟି ଟଙ୍କା ବ୍ୟୟବରାଦରେ ୫୦୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଇଛି। ସେତୁବନ୍ଧନ ଯୋଜନାରେ ୨୦୨୪-୨୫ରେ ୧୮୬ଟି ସେତୁ ନିର୍ମାଣ କରାଯାଇଥିବା ବେଳେ ୨୦୨୫-୨୬ରେ ୩୦୦ଟି ସେତୁ ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳର ଭିତ୍ତିଭୂମି ଉନ୍ନତୀକରଣ କାର୍ଯ୍ୟ ମଧ୍ୟରେ ଛାତ୍ରାବାସ, ମହାବିଦ୍ୟାଳୟ ଗୃହ ନିର୍ମାଣ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିର୍ମାଣ, ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ, କଲ୍ୟାଣ ମଣ୍ଡପ ଇତ୍ୟାଦି ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି। ୨୦୨୪-୨୫ରେ ବିଭାଗ ପକ୍ଷରୁ ୪୫୧ଟି ବିଭିନ୍ନ କୋଠାବାଡ଼ି ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ୧୨୨୯ଟି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ବୈଠକରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ବିଭାଗୀୟ ଶାସନ ସଚିବ ଯାମିନୀ ଷଡ଼ଙ୍ଗୀ, ସର୍ବୋଚ୍ଚ ଯନ୍ତ୍ରୀ ପ୍ରସନ୍ନ କୁମାର ସାହୁ ଓ ପ୍ରଦୀପ କୁମାର ଜେନା ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *