8 Dec 2025, Mon

ଉତ୍ତର ଭାରତରେ ବନ୍ୟା ସ୍ଥିତି ଉଦ୍‌ବେଗଜନକ: ପଞ୍ଜାବରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି

ଚଣ୍ଡିଗଡ଼ : ପ୍ରବଳ ବର୍ଷା ଯୋଗୁଁ ପଞ୍ଜାବର ୧୪ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ସୁଦ୍ଧା ବର୍ଷାଜନିତ ଘଟଣାରେ ମୃତକଙ୍କ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି। ବିଗତ କିଛି ଦିନ ଧରି ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ସତ୍‌ଲେଜ, ବ୍ୟାସ, ରବି ସମେତ ଏକାଧିକ ନଦୀର ଜଳସ୍ତର ବୃଦ୍ଧି ପାଇଛି। ୨ ହଜାର ଗ୍ରାମ ଜଳାର୍ଣ୍ଣବ ହୋଇପଡିଥିବାବେଳେ ପ୍ରାୟ ୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା କୁହାଯାଇଛି। ବନ୍ୟାର ପ୍ରଭାବ କୃଷିକ୍ଷେତ୍ରରେ ପଡିଛି। ୧୮ଟି ଜିଲାର ପ୍ରାୟ ୧.୭୫ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଥିବା ଫସଲ ନଷ୍ଟ ହୋଇଛି। ଗୁରୁଦାସପୁର, ଫଜିଲକା ଓ ଫିରୋଜପୁର ଜିଲାରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଜଣାପଡିଛି। ଧାନ ଓ ଅନ୍ୟ ଶସ୍ୟ ଅମଳ ହେବାକୁ କିଛି ସପ୍ତାହ ବାକିଥିବାବେଳେ ବନ୍ୟା ଯୋଗୁଁ ଚାଷୀକୁଳ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି ପରିପ୍ରେକ୍ଷୀରେ ପଞ୍ଜାବ ସରକାର ରାଜ୍ୟକୁ ବିପର୍ଯ୍ୟୟ ଗସ୍ତ ରାଜ୍ୟ ଘୋଷଣା କରିସାରିଛନ୍ତି। ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ସେନା, ବିଏସଏଫ୍‌ ଓ ଏନଡିଆରଏଫ ଯବାନମାନେ ବନ୍ୟା ପ୍ରଭାବିତ ଅଞ୍ଚଳରୁ ୨୨ ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି। ଏମାନଙ୍କୁ ୨୦୦ରୁ ଊର୍ଦ୍ଧ୍ବ ରିଲିଫ ଶିବିରରେ ଥଇଥାନ କରାଯାଇଛି। ବନ୍ୟାରେ ଘରଦ୍ବାର ହରାଇଥିବା ଲୋକଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ରିଲିଫ ପ୍ରଦାନ କରାଯାଇଛି। ପୂର୍ଣ୍ଣାଙ୍ଗ ସର୍ଭେ କରାଯିବା ପରେ ଅଧିକ ରିଲିଫ୍‌ ପ୍ରଦାନ କରାଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *