11 Mar 2026, Wed

କୋଲକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍‌ଆଇଟି ଗଠିତ

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଅବସ୍ଥିତ IIM ରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା ଦେଶରେ ହଇଚଇ ସୃଷ୍ଟି କରିଛି । ମାମଲାର ତଦନ୍ତ ପାଇଁ କୋଲକାତା ପୁଲିସ ଏକ ସ୍ୱତନ୍ତ୍ର ତଦନ୍ତ ଟିମ୍‌ (SIT) ଗଠନ କରିଛି। କୋଲକାତା ପୁଲିସର ଦକ୍ଷିଣ ପଶ୍ଚିମ ଡିଭିଜନର DC (ଡେପୁଟି କମିଶନର) ଏକ ନଅ ଜଣିଆ ଟିମ୍‌ ଗଠନ କରିଛନ୍ତି । ସେପଟେ ରାଜ୍ୟ ମହିଳା କମିଶନ ଘଟଣାର ସ୍ୱତଃ ତଦନ୍ତ କରି ଏକ ମାମଲା ରୁଜୁ କରିଛନ୍ତି । ପୁଲିସର ସୂଚନା ଅନୁଯାୟୀ, ତଦନ୍ତ ଟିମ୍‌ କଲେଜର ସିସିଟିଭି ଫୁଟେଜ୍ ଯାଞ୍ଚ କରିଛନ୍ତି । ଘଟଣା ଦିନ ପୀଡ଼ିତା କଲେଜରେ ପ୍ରବେଶ କରିଥିବା ଏବଂ ବାହାରକୁ ଯାଇଥିବା ଫୁଟେଜ୍ରେ ଦେଖିବାକୁ ମିଳିଛି ।

କଲେଜରେ ସୁରକ୍ଷା ବ୍ୟବସ୍ଥା ଏବଂ ପ୍ରବେଶ ଦ୍ୱାରରେ କୌଣସି ଯାଞ୍ଚ କରାଯାଉଛି କି ନାହିଁ ତାହା ତଦନ୍ତ କରୁଛି ପୁଲିସ । ଆଇଆଇଏମ, କୋଲକାତାରେ ଜଣେ ଛାତ୍ରୀଙ୍କୁ ବୟଜ୍‌ ହଷ୍ଟେଲକୁ ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଶୁକ୍ରବାର ଅଭିଯୁକ୍ତ ଛାତ୍ରକୁ ଗିରଫ କରିଛି । କୋର୍ଟ ଅଭିଯୁକ୍ତକୁ ଜୁଲାଇ ୧୯ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇଛନ୍ତି । ସେପଟେ ଝିଅର ବାପା ଦାବି କରିଛନ୍ତି ଯେ, ତାଙ୍କ ଝିଅ ଉପରେ କୌଣସି ଅତ୍ୟାଚାର କରାଯାଇ ନାହିଁ । ଝିଅକୁ ଦୁଷ୍କର୍ମ କରାଯାଇ ନାହିଁ। ସେ ଅଟୋରୁ ପଡ଼ିଯାଇଥିଲା । ସେ ଅଭିଯୁକ୍ତ ଯୁବକକୁ ଜାଣି ନାହିଁ। ପୀଡ଼ିତାଙ୍କ ବାପାଙ୍କ ମନ୍ତବ୍ୟ ମାମଲାରେ ଏକ ନାଟକୀୟ ମୋଡ଼ ଆଣିଛି ।

ଅନ୍ୟପକ୍ଷରେ, ପୁଲିସ IIMର ରେଜିଷ୍ଟ୍ରାର ଏବଂ ସେଠାକାର ହଷ୍ଟେଲ ଉପରେ ନଜର ରଖିଛି । ପୁଲିସ ଅଧିକାରୀମାନେ ଅଭିଯୁକ୍ତ ଛାତ୍ରଙ୍କ ଆଚରଣ ବିଷୟରେ ପଚରାଉଚରା କରିବେ। ପୂର୍ବରୁ ତା ବିରୋଧରେ କୌଣସି ଅନୁପଯୁକ୍ତ ଆଚରଣର ଅଭିଯୋଗ ଆସିଛି କି ? ଗତକାଲି ପୁଲିସ କୋର୍ଟକୁ କହିଛି ଯେ, ସେମାନଙ୍କୁ ଅଭିଯୁକ୍ତଙ୍କ ଫୋନର କଲ୍ ଡିଟେଲ୍ ଯାଞ୍ଚ କରିବାକୁ ପଡିବ । କଲ୍ ଡିଟେଲ୍ ଦେଖିଲେ ଜଣାପଡିବ ଯେ, ପୂର୍ବରୁ ସେମାନଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇଥିଲା କି ନାହିଁ ଏବଂ ଅଭିଯୁକ୍ତ ଘଟଣା ଦିନ ପୀଡିତାଙ୍କୁ ଫୋନ୍ କରିଥିଲେ କି ନାହିଁ ।

Leave a Reply

Your email address will not be published. Required fields are marked *