17 Apr 2026, Fri

ମେରୁଯାତ୍ରା ଦେଖି ଫେରୁଥିଲେ, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ଅନୁଗୁଳ  : ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ମେରୁଯାତ୍ରା ଦେଖି ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ୨ଜଣ ଯୁବକଙ୍କ ଜୀବନ ଯାଇଛି।

ସୂଚନା ମୁତାବକ, ପୁରୁଣାକୋଟ ଥାନା ଜଗନ୍ନାଥପୁର ଗାଁରେ ଗତକାଲି ମେରୁଯାତ୍ରା ପାଳିତ ହୋଇଥିଲା। ମେରୁଯାତ୍ରା ପରେ ଦଣ୍ଡୁଆମାନେ ଦଣ୍ଡନାଚ କରିଥିଲେ। ତେବେ ମେରୁଯାତ୍ରା ଦେଖିବାକୁ ଯାଇଥିବା ଜରପଡ଼ା ଥାନା ବଡ଼ହିଂସର ଗାଁର ବୀରବାର ସାହୁଙ୍କ ପୁଅ ଧୀରେନ୍ଦ୍ର ସାହୁ (୨୩) ଓ ଅନ୍ତର୍ଯ୍ୟାମୀ ସାହୁଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ସାହୁ (୪୧) ବିଳମ୍ବିତ ରାତି ପର୍ଯ୍ୟନ୍ତ ଦଣ୍ଡନାଚ ଦେଖିଥିଲେ। ସେଠାରୁ ରାତି ପ୍ରାୟ ଗୋଟାଏ ବେଳେ ବାଇକରେ ନିଜ ଗାଁକୁ ଫେରୁଥିବା ବେଳେ ହିଂଶ୍ରୀଡ଼ା ଗାଁ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ରାସ୍ତା କଡ଼ରେ ସେମାନେ ଫୋପାଡ଼ି ହୋଇ ପଡ଼ିଥିଲେ।

ଖବର ପାଇ ପୁରୁଣାକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ତେବେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବାଗାରରେ ରଖାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *