ରାଉରକେଲା : ରାଉରକେଲାରେଏନକାଉଣ୍ଟର। ତୋଫାନ ହତ୍ଯା ଘଟଣାର ୨ ମୁଖ୍ଯ ଅଭିଯୁକ୍ତଂକୁ ବାଜିଲା ପୁଲିସ ଗୁଳି। ଚୁନୁ ହରିପା ଓ ନଣ୍ଡା ଓରଫ ସୁଶାନ୍ତର ଡାହାଣ ଗୋଡ଼ରେ ବାଜିଛି ଗୁଳି। ଉଭୟେ ଗୁରୁତର ହୋଇଥିବା ଜଣାଯାଇଛି। ଝିରପାଣି ଥାନା ଅଞ୍ଚଳରେ ଭୋର ସାଢେ ୩ଟାରେ ପୁଲିସ ସହ ଗୁଳି ବିନିମୟ ହୋଇଥିଲା। ପୁଲିସର ପାଲଟା ଗୁଳି ରେ ୨ ଦୁର୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ନିଶା ସେବନକୁ ବିରୋଧ କରିବାରୁ ଯୁବକଙ୍କୁ ଜଙ୍ଗଲରେ ହାଣି ବିଭତ୍ସ ହତ୍ୟା କରାଯାଇଥିଲା। ଏହି ଘଟଣା ସେକ୍ଟର-୬ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସ୍କୁଲ ନିକଟସ୍ଥ ଜଙ୍ଗଲରେ ଘଟିଥିଲା। ମୃତକ ହେଲେ ଗୋଲଘର ରାମେଶ୍ବରପାଲି ବସ୍ତିର ତୋଫାନ ବିନ୍ଧାଣୀ(୨୯)। ସେ ରାଉରକେଲା ମହାନଗର ନିଗମ(ଆର୍ଏମ୍ସି)ରେ ହେଲ୍ପର ଭାବେ କାମ କରୁଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରି ଆଇଜିଏଚ୍କୁ ପାଠଇଥିବାବେଳେ ସଂଘର୍ଷରେ ଗୁରୁତର ହୋଇଥିବା ଶୁଭେନ୍ଦୁ ସେଠୀଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିଲା। ରାମେଶ୍ବରପାଲି ବସ୍ତିବାସିନ୍ଦାଙ୍କ କହିବାନୁଯାୟୀ, ନାରାୟଣପାଲି ବସ୍ତି ଲଙ୍କାଗଡ଼ର ପିଲାମାନେ ଆଖପାଖ ଅଞ୍ଚଳରେ ଗଞ୍ଜେଇ ପିଅନ୍ତି। ତୋଫାନ ବିରୋଧ କରିବାରୁ ଏଭଳି କାଣ୍ଡ ଘଟିଥିଲା।
ଗତ ଜୁନ୍ ୧୪ ପହିଲି ରଜ ଦିନ ନାରାୟଣପାଲି ବସ୍ତିର କିଛି ଯୁବକ ସେକ୍ଟର-୬ ଅଞ୍ଚଳରେ ନିଶା ସେବନ କରୁଥିଲେ। ସେମାନଙ୍କୁ ତୋଫାନ ବିରୋଧ କରିବା ସହ ଅଞ୍ଚଳରେ ଆଡ୍ଡା ଜମାଇବାକୁ ତାଗିଦ୍ କରିଥିଲେ। ଏହାକୁ ନେଇ ରାମେଶ୍ବରପାଲି ଓ ନାରାୟଣପାଲି ବସ୍ତିର ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ୧୫ ତାରିଖରେ ନାରାୟଣପାଲିର କିଛି ଯୁବକ ରାମେଶ୍ବରପାଲିର ଯୁବକଙ୍କୁ ପିଟାମରା କରିବାକୁ ଯାଇଥିଲେ। ସୁଯୋଗ ନମିଳିବାରୁ ଫେରିଆସିଥିଲେ। ତେବେ ଜୁନ୍ ୧୬ ତାରିଖ ସକାଳେ ତୋଫାନ କାମକୁ ଯାଇ ଦିନ ୧୧ଟା ୩୦ରେ ଫେରିଥିଲେ। ଏହାପରେ ଅପରାହ୍ନ ୧ଟାବେଳେ ରାମେଶ୍ବରପାଲି ବସ୍ତି ୫ରୁ ୭ ଜଣ ଯୁବକଙ୍କ ସହ ତୋଫାନ ସ୍କୁଲ ପାଖ ଜଙ୍ଗଲରେ ଖିଆପିଆ କରୁଥିଲା। ଠିକ୍ ଏତିକି ବେଳେ ଅପର ଗୋଷ୍ଠିର ୧୫ରୁ ଅଧିକ ଯୁବକ ଜଙ୍ଗଲରେ ପହଞ୍ଚି ତୋଫାନ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଅପରେ ଗୋଷ୍ଠିର ଜଣେ ଯୁବକଙ୍କ ଫାର୍ସା ଚୋଟରେ ତୋଫାନ ସେଠାରେ ଟଳି ପଡ଼ିଥିଲା। ତାକୁ ରକ୍ତାକ୍ତ ଅବସ୍ଥାରେ ଦେଖି ଅପର ଗୋଷ୍ଠି ପିଲାମାନେ ସେଠାରୁ ଚମ୍ପଟ୍ ମାରିଥିଲେ। ପଡ଼ିଆରେ ଥିବା ପିଲାମାନେ ତୁରନ୍ତ ୧୧୨କୁ କଲ୍ କରି ଡାକିଥିଲେ। ସେତେବେଳକୁ ତୋଫାନ ମୃତ୍ୟୁ ହୋଇସାରିଥିଲା। ତାଙ୍କୁ ତୁରନ୍ତ ଆଇଜିଏଚ୍କୁ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଆକ୍ରମଣରେ ଗୁରୁତର ହୋଇଥିବା ଶୁଭେନ୍ଦୁ ପ୍ରାଥମିତ ଚିକିତ୍ସା କରାଯାଇଛି। ଏନେଇ ମୃତକଙ୍କ ପରିବାର ତରଫରୁ ସେକ୍ଟର-୭ ଥାନାରେ ୭ରୁ ୮ ଜଣ ଯୁବକଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିଲା।