3 Mar 2026, Tue

ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ସ୍ଥାପିତ ହେଲା ଶୁଭ ସ୍ତମ୍ଭ

ବରଗଡ଼ : ବିଶ୍ଵର ସର୍ବବୃହତ ଖୋଲା ରଂଗ ମଞ୍ଚ ଭାବେ ପ୍ରସିଦ୍ଧି ଲାଭ କରିଥିବା ବରଗଡ଼ର ଧନୁଯାତ୍ରା ମହୋତ୍ସବ ଆୟୋଜନ ପାଇଁ ବାଜିଛି ଶୁଭଶଙ୍ଖ। ଯେପରି ଯାତ୍ରା ସୁରୁଖୁରୁରେ ସମାପନ ହେବ ସେଥିପାଇଁ ସ୍ଥାପିତ ହୋଇଛି ଶୁଭ ସ୍ତମ୍ଭ । ବରଗଡର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ସହର ପରିକ୍ରମା କରି ହାଟପଦା ସଞ୍ଚାର ମଣ୍ଡପକୁ ପହଞ୍ଚିଥିଲା , ସେଠାରେ ରାଜ ପୁରୋହିତଙ୍କ ପାରମ୍ପରିକ ପୂଜାର୍ଚ୍ଚନା ପରେ ସୁଭସ୍ତମ୍ଭ ସ୍ଥାପିତ ହୋଇଛି।

୭୮ତମ ବରଗଡ଼ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଆୟୋଜନ ପାଇଁ ବାଜିଛି ଶୁଭଶଙ୍ଖ, ସ୍ଥାପିତ ହୋଇଛି ଶୁଭ ସ୍ତମ୍ଭ। ଏଥିପାଇଁ ଚାଲିଛି ପୂଜାର୍ଚ୍ଚନା, ଆଉ ଏ ହେଉଛି ବରଗଡ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚାଲିଥିବା ଶୁଭସ୍ତମ୍ଭ ସ୍ଥାପନ ପର୍ବର ଦୃଶ୍ୟ । ରାଜ ପୁରୋହିତଙ୍କ ପୂର୍ବ ଲଗ୍ନ ଧାର୍ଯ୍ୟ ଅନୁସାରେ ସୋମବାର ସନ୍ଧ୍ୟାରେ ବରଗଡର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ସେଠାରୁ ଏକ ଶୋଭାଯାତ୍ରା ବାହାରି ସହର ମୁଖ୍ୟ ରାସ୍ତାଦେଇ ହାଟପଦା ପଡ଼ିଆ ସ୍ଥିତ ସଂଚାର ମଣ୍ଡଳୀକୁ ପହଞ୍ଚିଥିଲା। ସେଠାରେ ରାଜ ପୁରୋହିତଙ୍କ ଦ୍ଵାରା ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା ।

ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟଲ୍ ଓ ଏସପି ପ୍ରହଲ୍ଲାଦ ସହାଈ ମୀନା କର୍ତ୍ତା ଦାୟିତ୍ଵ ନେଇ ଧନୁଯାତ୍ରା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଧନୁଯାତ୍ରା ର ବିଭିନ୍ନ କମିଟିର ସଦସ୍ୟ ସହ ଧନୁଯାତ୍ରାର କଳାକାର ଓ ଜନ ସାଧାରଣ ସାମିଲ ହୋଇଥିଲେ । ତେବେ ଶୁଭସ୍ତମ୍ଭ ସ୍ଥାପନ ହେବାପରେ ଧନୁଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

ଚଳିତବର୍ଷ ବରଗଡ଼ ଧନୁଯାତ୍ରା ୭୮ତମ ବର୍ଷରେ ପଦାର୍ପଣ କରିଛି । ଏହା ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଆୟୋଜିତ ହେବ । ତେବେ ଧନୁଯାତ୍ରାରେ ଯେପରି ପ୍ରାକୃତିକ ଦୁର୍ବିପାକ ସହ କୌଣସି ବାଧା ବିଘ୍ନ ନଘଟୁ ସେନେଇ ଏହି ଶୁଭସ୍ତମ୍ଭ ସ୍ଥାପନ କରାଯାଇ ଥିବା ରାଜ ପୁରୋହିତ କହିଛନ୍ତି। ଅନ୍ୟପକ୍ଷରେ ଚଳିତ ବର୍ଷ ନୂତନ କଂସ ଭାବେ ସୁଶୀଲ ମେହେରଙ୍କୁ ଚୟନ କରାଯାଇଛି।

ଧନୁଯାତ୍ରାକୁ କିପରି ଅଧିକ ଆକର୍ଷଣୀୟ କରାଯାଇ ପାରିବ ସେନେଇ କଳାକାର ମଧ୍ୟ ନୂତନ ସଂଳାପ ଓ ନୂତନ ଅଭିନୟ ଦେଖାଇବା ପାଇଁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ବରଗଡ ଧନୁଯାତ୍ରା ପାଇଁ ସୁଭସ୍ତମ୍ଭ ସ୍ଥାପନ ହେବା ପରେ ଏହାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥାଏ ,ଯାହାକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *