ମୋହନା : ରାୟଗଡାରୁ ବ୍ରହ୍ମପୁର ଯାଉଥିବା ବେଳେ ଅଘଟଣ। କାର୍କୁ ସାଇଡ୍ ଦେବାକୁ ଯାଇ ଭାରସାମ୍ୟ ହରାଇ ଡ୍ୟାମ୍କୁ ଖସି ପଡ଼ିଲା କଣ୍ଟେନର। ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର୍। ବୁଧବାର ବି ଗଜପତି ଜିଲ୍ଲା ଅଡବା ଥାନା ହରଭଙ୍ଗୀ ଡ୍ୟାମ ଅଡାପଙ୍କା ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନାନୁଯାୟୀ, ବୁଧବାର ରାତି ପ୍ରାୟ ୧୨ଟା ବେଳେ ଡ୍ରାଇଭର ସଞ୍ଜୀବ ଯାଦବ ଏକ କଣ୍ଟେନର ନେଇ ରାୟଗଡାରୁ ବ୍ରହ୍ମପୁର ଯାଉଥିଲେ। ଗଜପତି ଜିଲ୍ଲା ଅଡବା ଥାନା ହରଭଙ୍ଗୀ ଡ୍ୟାମ ଅଡାପଙ୍କା ନିକଟରେ ବୀପରିତ ଦିଗରୁ ଆସୁଥିବା ଏକ କାର୍କୁ ସାଇଡ୍ ଦେବାକୁ ଯାଇ କଣ୍ଟେନରଟି ଭାରସାମ୍ୟ ହରାଇ ଡ୍ୟାମ୍ ଭିତରକୁ ପଶି ଯାଇଥିଲା। ଡ୍ୟାମ୍ରେ କଣ୍ଟେନରଟି ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। ତେବେ ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେପଟେ ଡ୍ୟାମ୍ରେ ଏବେ ପ୍ରାୟ ୫୦ ଫୁଟ ପାଣି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଅସମ୍ଭବ ହୋଇପଡ଼ିଛି। ଉଦ୍ଧାର କାର୍ଯ୍ୟ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି। ରାସ୍ତାରେ କୌଣସି ସୂଚନା ଫଳକ ନଥିବା ଯୋଗୁଁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି।


